June 28, 2026

ଏସ୍‌ସିବି ମେଡିକାଲରୁ ବୃଦ୍ଧ ରୋଗୀ ନିଖୋଜ

1 min read

କଟକ: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ବୃଦ୍ଧ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ଜଣେ ବୃଦ୍ଧ ରୋଗୀଙ୍କୁ ତାଙ୍କ ପତ୍ନୀ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲର ସୁପର ସ୍ପେସିଆଲିଟି ଆଉଟ୍‌ଡୋର ସ୍ଥିତ ନେଫ୍ରୋଲୋଜି ବିଭାଗକୁ ଆଣିଥିଲେ। ଡାକ୍ତରଙ୍କୁ ଦେଖାଇବା ପୂର୍ବରୁ ବୃଦ୍ଧଙ୍କୁ ବସାଇ ରଖି ତାଙ୍କ ପତ୍ନୀ ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲେ।

କିଛି ସମୟ ପରେ ସେ ଫେରି ଆସି ଦେଖିଥିଲେ ଯେ, ତାଙ୍କ ସ୍ୱାମୀ ସେଠାରେ ନାହାନ୍ତି। ହସ୍ପିଟାଲ ପରିସରର ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।

ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବୃଦ୍ଧ ଜଣକ ଗତ ମଙ୍ଗଳବାରଠାରୁ ନିଖୋଜ ଅଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଏକ ନିଖୋଜ ଏତଲା ଦାଖଲ କରାଯାଇଛି। ପୋଲିସ ହସ୍ପିଟାଲ ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ବୃଦ୍ଧଙ୍କ ସନ୍ଧାନ ପାଇଁ ତଦନ୍ତ ଚଳାଇଛି।

ଏହି ଘଟଣା ପରେ ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ନିଖୋଜ ବୃଦ୍ଧଙ୍କୁ ଶୀଘ୍ର ଠାବ କରିବା ପାଇଁ ପରିବାର ପକ୍ଷରୁ ପୋଲିସ ଓ ପ୍ରଶାସନ ନିକଟରେ ନିବେଦନ କରାଯାଇଛି।