June 6, 2026

ଚଳିତ ଆର୍ଥିକବର୍ଷରେ ଅର୍ଥନୀତିକୁ ଡବଲ୍‌ ଝଟକା

1 min read

ନୂଆଦିଲ୍ଲୀ: ଚଳିତ ଆର୍ଥିକବର୍ଷରେ ଅର୍ଥନୀତିକୁ ଡବଲ୍‌ ଝଟକା ଲାଗିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧି କମିଯିବ ଏବଂ ଦରଦାମ ବଢ଼ିଯିବ। ବିଶେଷକରି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୭ ପ୍ରତିଶତ ରହିଥିବା ନେଇ ଦର୍ଶାଯାଇଥିବାବେଳେ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଦେଶର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିକୁ ନେଇ କରିଥିବା ପୂର୍ବାନୁମାନ ଚିନ୍ତା ବଢ଼ାଇ ଦେଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ଭୂରାଜନୈତିକ ଅସ୍ଥିରତା, ଅଶୋଧିତ ତେଲଦର ଉଚ୍ଚସ୍ତରରେ ରହିବା ସହିତ ଏଲ୍‌ନିନୋ ଭାରତର ଅର୍ଥନୈତିକ ବିକାଶର ଗତିକୁ ମନ୍ଥର କରିବ। ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବାବେଳେ ଆଜି ତାହା ୬.୬ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରାଯାଇଛି। ସେହିଭଳି ଚଳିତ ଆର୍ଥିକବର୍ଷରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତକୁ ଟପିଯିବ ବୋଲି ଦର୍ଶାଇଛି।
ଚଳିତ ଆର୍ଥିକବର୍ଷର ଦ୍ବିତୀୟ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ସାର୍ବଜନୀନ କରିବା ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଦେଶର ବିକାଶର ଗତି ମନ୍ଥର ହୋଇଯିବ। ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୬.୬ ପ୍ରତିଶତକୁ ହ୍ରାସ ପାଇବ। ଯୁଦ୍ଧ ପାଇଁ ଏହା ନିଜର ପୂର୍ବ ଆକଳନ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଅନ୍ୟ ପଟେ ଦରଦାମ୍‌ ମଧ୍ୟ ବେଲଗାମ ହୋଇପଡ଼ିବ। ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତର ସୀମାରେଖା ଡେଇଁ ୫.୧ ପ୍ରତିଶତ ହୋଇଯିବ ବୋଲି ମଧ୍ୟ ଆକଳନ କରାଯାଇଛି।