January 25, 2026

ମଙ୍ଗଳବାର ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି

1 min read

ନୂଆପଡ଼ା: ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡା ବିଧାୟକ ଜୟ ଢୋଲକିଆ, ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁଜୁର, ଉପ ଜିଲାପାଳ ସୁର୍ମି ସୋରେନ, ଅତିରିକ୍ତ ଜିଲା ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଣଜିତ ନାୟକ, ଡିଆର୍‌ସିଏସ୍‌ ଶିବ ପ୍ରସାଦ ସ୍ବାଇଁ, ଜିଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ସମସ୍ତ ବିଡ଼ିଓ, ତହସିଲଦାର, ଆର୍‌ଏମ୍‌ସି ସମ୍ପାଦକ, ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଯୋଗଦାନ କରିଥିଲେ। ଆଲୋଚନା ପରେ ଡିସେମ୍ବର ୩ରୁ ଜିଲାରେ ପ୍ରଥମ ଧାନ କିଣା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା। ଚାଷୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, କଟ୍‌ନିଛଟ୍‌ନି ନ ହେବ ସେଥିପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଧାୟକ ମତ ରଖିଥିଲେ। ଜିଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ବିବରଣୀ ପାଠ କରିଥିଲେ। ଏଥର ଜିଲାରେ ୫୧ ହଜାର ୩୪୧ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ୬୮ ପ୍ରାଥମିକ କୃଷି ସମବାୟ କେନ୍ଦ୍ର ଓ ୧୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ୭୪ ହଜାର କୁଇଣ୍ଟାଲ ଧାନ କିଣାଯିବା ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ଖରିଫ ଋତୁରେ ୨୩ ଲକ୍ଷ ୨ ହଜାର ୩୯୭ କୁଇଣ୍ଟାଲ ଧାନ କ୍ରୟ ହୋଇଥିଲା। ଏଥର କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୬୯ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ବୋନସ ପ୍ରଦାନ କରାଯିବ। ଜିଲାପାଳ ଉଭୟ କୃଷକ ପ୍ରତିନିଧି ଓ ମିଲର୍‌ ପ୍ରତିନିଧିଙ୍କ ଅଭିଯୋଗ ଶୁଣି ଏହାର ସମାଧାନର ରାସ୍ତା ବାହାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ସୂଚାରୁରୂପେ ଖରିଫ ଧାନ ସଂଗ୍ରହ ପାଇଁ ଜିଲାପାଳ ସମସ୍ତ ଚାଷୀ, ମିଲର ଓ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ।