ବାଲେଶ୍ଵରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ
1 min read
ବାଲେଶ୍ଵର: ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ଜୟଦେବକସବା ଗ୍ରାମ ପଞ୍ଚାୟତର ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି।
ଏଥିସହିତ ଜିଲ୍ଲାର ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ ଅନୁଷ୍ଠିତ ହୋଇଛି। ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ ଉଦଘାଟନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ବାଲେଶ୍ଵର ଜିଲ୍ଲାର ସମସ୍ତ ବ୍ଲକ ତଥା ୧୪୪ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଛି।
ଜୟଦେବକସବା ପାହି ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲରେ ଏନଡିଆରଏଫ, ଓଡ୍ରାଫ୍, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।
ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ତାକୁ ନେଇ କୌଶଳ ପ୍ରଦର୍ଶିତ ହୋଇଥିଲା। ଏନଡିଆରଏଫ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥିଲେ। ଏହା ସହ ସେଗୁଡ଼ିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଇଥିଲେ।
ଓଏସଡିଏମଏ ସହଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଆସିଥିବା ପର୍ଯ୍ୟବେକ୍ଷକ ଶରତ ଚନ୍ଦ୍ର ପରିଡ଼ା ଉପସ୍ଥିତ ରହି ନିଜର ପ୍ରତିକ୍ରିୟା ରଖିଥିଲେ। ଜିଲ୍ଲାସ୍ତରୀୟ ମକଡ୍ରିଲ୍ କାର୍ଯ୍ୟକ୍ରମରେ ଜୟଦେବକସବା ଗ୍ରାମ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ ଲିଳିମା ପାତ୍ର, ତହସିଲଦାର ବାଲେଶ୍ୱର ଦେବୀ ପ୍ରସନ୍ନ ସାରସ୍ୱତ, ଅତିରିକ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ବାଲେଶ୍ୱର ସଦର ପ୍ରମୁଖ ଉପସ୍ଥିତ ଥିଲେ।
ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରପାତିଗୁଡ଼ିକର ସ୍ଥିତି ସମ୍ପର୍କରେ ସଠିକ ତଥ୍ୟ ହାସଲ କରିବା ଲାଗି ମକଡ୍ରିଲ ସହ ପ୍ରିଲ ସହାୟକ ହୋଇଥାଏ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜନସାଧାରଣ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା।
ବାଲେଶ୍ଵର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ବାଲେଶ୍ୱର, ସାଇକୃଷ୍ଣ ଜେନା, ଏନଡିଆରଏଫ ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅବନୀକାନ୍ତ ଭୂୟାଁ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।