March 10, 2026

ଧାନ ମଣ୍ଡି ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

1 min read

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାମନାଳ ନିୟନ୍ତ୍ରିତ ବଜାର କମିଟି ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ କରିଛନ୍ତି। ଧାନ ମାନ ନିର୍ଦ୍ଧାରଣ ପାଇଁ ପ୍ରଥମ ଥର ବ୍ୟବହାର ହେବାକୁ ଯାଉଥିବା ଗ୍ରେନ୍ ଆନାଲାଇଜର, ଧାନ ମାପ ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ବୁଲି ଦେଖିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଣ୍ଡିଆ, ଅଂଶାଲ, ବିଷ୍ଣୁପୁରର ଚାଷୀ, ପ୍ୟାକ୍ସ ସଦସ୍ୟ, ଜିଲ୍ଲାର ସମସ୍ତ ସମବାୟ ସମିତି ସମ୍ପାଦକ, ମଣ୍ଡି ନୋଡାଲ ଅଫିସର ଏବଂ ସୂପରଭାଇଜର ମାନଙ୍କୁ ଉଦବୋଧନ ଦେବା ବେଳେ ଚାଷୀମାନଙ୍କୁ ନିରାଶ ନକରିବା, ସେମାନଙ୍କୁ ଭଲ ବ୍ୟବହାର ଦେଖାଇବା, ପ୍ରତ୍ୟେକ ମଣ୍ଡିରେ ଧାନ ଗଚ୍ଛିତ ରଖିବା ପାଇଁ ସୁବ୍ୟବସ୍ଥା କରିବା ଓ ଚାଷୀମାନଙ୍କ ପାଇଁ ପିଇବା ପାଣିର ସୁବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୁରୀ ଜିଲ୍ଲାର ୧୯୬ଟି ମଣ୍ଡିରେ ୧୨ଲକ୍ଷ ୪ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ରଖାଯାଇଛି। ସମସ୍ତ ମଣ୍ଡିରେ ସିସି କ୍ୟାମେରା ବ୍ୟବସ୍ଥା କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲ୍ଲା ସମବାୟ ସମିତି ନିବନ୍ଧକ ସରୋଜିନୀ ଜେନା, ତହସିଲଦାର ମନୋଜ କୁମାର ପ୍ରଧାନ, ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ଯୋଗାଣ ନିରିକ୍ଷକ ସୁବ୍ରତ ଚୌଧୁରୀ, ସହକାରୀ ନିବନ୍ଧକ ସନାତନ ବେହେରା ଓ ସ୍ଵରୁପ କୁମାର କର ଏବଂ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଲୋକସମ୍ପର୍କ ବିଭାଗର ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।