July 28, 2026

ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ ଲିମିଟେଡ୍‌କୁ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ

1 min read

ନୂଆଦିଲ୍ଲୀ: ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ ଲିମିଟେଡ୍‌କୁ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ନିୟମ ପାଳନରେ ବିଫଳ ହୋଇଥିବା ଏହି ପେମେଣ୍ଟ୍‌ ବ୍ୟାଙ୍କର ଲାଇସେନ୍ସକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବହୁ ପୂର୍ବରୁ ବାତିଲ କରିଥିଲେ। ବ୍ୟାଙ୍କିଙ୍ଗ ନିୟାମକ ନିୟମ ୧୯୪୯ ଓ କମ୍ପାନି ନିୟମ ୨୦୧୩ ଅଧୀନରେ ପେଟିଏମ୍ ପେମେଣ୍ଟ୍‌ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଜିଏମ୍‌ ଗିରିକୁମାର ଏମ୍‌ ନାୟାରଙ୍କୁ ଅଫିସିଆଲ୍‌ ଇକ୍ବିଡେଟର୍‌ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ବ୍ୟାଙ୍କ ବନ୍ଦ କରିବାର ସବୁ କ୍ଷମତା ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲ୍‌ ୨୪ରେ ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କ ଲାଇସେନ୍ସକୁ ରିଜର୍ଭ ବ୍ୟାଙ୍କ ବାତିଲ କରିଥିଲେ। ସେହି ସମୟରେ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ଯେଉଁଭଳି ଭାବେ ବ୍ୟାଙ୍କ ପରିଚାଳିତ ହେଉଛି ତାହା ଗ୍ରାହକଙ୍କ ସ୍ବାର୍ଥ ବିରୋଧୀ। ବ୍ୟାଙ୍କକୁ ବନ୍ଦ କରିବା ଲାଗି ହାଇକୋର୍ଟରେ ଆବେଦନ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲା।

ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଏହି ସଂସ୍ଥା ଉପରେ ବହୁଦିନରୁ ରିଜର୍ଭ ବ୍ୟାଙ୍କର ନଜର ଥିଲା। ନୂଆ ଗ୍ରାହକ ନ ଯୋଡ଼ିବାକୁ ୨୦୨୨ ମାର୍ଚ୍ଚରେ ବ୍ୟାଙ୍କକୁ କୁହାଯାଇଥିଲା। ୨୦୨୪ ଜାନୁଆରି ଓ ଫେବ୍ରୁଆରିରେ ବ୍ୟାଙ୍କ ଉପରେ ଅତିରିକ୍ତ କଟକଣା ଲଗାଯାଇଥିଲା।