October 16, 2025

ଦାରିଙ୍ଗବାଡି ଏବେ କୁଢ଼ କୁଢ଼ ଅଳିଆ ଗଦା

1 min read

ଦାରିଙ୍ଗବାଡି: ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏବେ କୁଢ଼ କୁଢ଼ ଅଳିଆ ଗଦା ଉପରେ ପର୍ଯ୍ୟଟକଙ୍କୁ ଠିଆ ହୋଇ ହାତ ଧରି ଡାକୁଛି। ଏବେ ପର୍ଯ୍ୟଟକ ଓ ପରିବେଶବିତ୍‌ମାନେ ଏହି କଥା କହିବା ଆରମ୍ଭ କଲେଣି। ଦାରିଙ୍ଗବାଡିରୁ ଦୈନିକ କୁଢ଼ କୁଢ଼ ବାହାରୁଥିବା ପ୍ଲାଷ୍ଟିକ, ପଲିଥିନ, ଅଇଁଠା ଖଲିପତ୍ର କୋଉଠି ପକାଯିବ ତାକୁ ନଷ୍ଟ କରାଯିବ ସେନେଇ ଦେଖାଯାଇଛି ଚିନ୍ତା। ଅନେକ ଏବେ ଯେଉଁଠିକି ପର୍ଯ୍ୟଟକମାନେ ଆସି ଫଟୋ ଉତ୍ତୋଳନ କରି ନିଜ ସ୍ମୃତିକି ସାଉଁଟିବା ପାଇଁ ସ୍ଥାନ ଚୟନ କରନ୍ତି,ସେହି ସ୍ଥାନଗୁଡିକରେ ଏବେ କୁଢ଼ କୁଢ଼ ଅଳିଆ ଗଦାଦେଖି ପର୍ଯ୍ୟଟକ ନାକ ଟେକିବା ଆରମ୍ଭ କଲେଣି। ହିଲଭିୟୁ ଘାଟି ତଥା ଶ୍ରାନିକେତାଠାରୁ ଦାରିଙ୍ଗବାଡି ଯିବା ରାସ୍ତାର ଏହି ୩ କିମି ମଧ୍ୟରେ ରହିଛି ଆମ୍ବ ଖାଲିଆ ଘାଟି ରାସ୍ତା।

ଏହି ଘାଟି ରାସ୍ତାର ଗୋଟିଏ ପଟେ ପାଇନ ଜଙ୍ଗଲ ପାହାଡ଼ ରହିଥିବାବେଳେ ତାର ଅନ୍ୟ ପାର୍ଶ୍ୱରେ ରହିଛି ଇକୋ ରିଟ୍ରିଟ ହେଉଥିବା ସ୍ଥାନ। ପ୍ରତିବର୍ଷ ଶହେ ଦିନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ ଖୋଲାଯାଉଛି। ସୁନ୍ଦର ପାହାଡ଼ ପର୍ବତ ଓ ଜଙ୍ଗଲ ତଥା ସଛ ଜଳବାୟୁ ଓ ପରିବେଶକୁ ଉପଭୋଗ କରିବାକୁ ପର୍ଯ୍ୟଟକ ଆସି ଉକ୍ତ ଇକୋ ରିଟ୍ରିଟରେ ରାତ୍ରିଯାପନ କରନ୍ତି। କିନ୍ତୁ ଚଳିତ ବର୍ଷ ଇକୋ ରିଟ୍ରିଟ ଖୋଲିବା ପୂର୍ବରୁ ସେହି ଆଖପାଖରେ ଏବେ ଟ୍ରାକ୍ଟରରେ ବୁହା ହୋଇ ଅଳିଆ ପକାଯାଉଛି। ଏହାକୁ ସାରିଙ୍ଗିଇର୍ପି ଗ୍ରାମବାସୀ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କିଛି ବର୍ଷ ପୂର୍ବରୁ ସେହି ଅଞ୍ଚକରେ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ଖାଇ ସାରିଙ୍ଗିଇର୍ପି ଗ୍ରାମବାସୀଙ୍କ ଗୋରୁ, ବଳଦ, ଛେଳିର ମୃତ୍ୟୁ ଘଟିଥିଲା ଓ ଜନଅସନ୍ତୋଷ ଦେଖାଯାଇଥିଲା। ପୁଣି ଦାରିଙ୍ଗବାଡି ସହରରୁ ନିୟମିତ ଅଳିଆକୁ ଆଣି ସେହି ହିଲଭିୟୁ ଘାଟି ନିକଟରେ ପକାଯାଉଥିବାରୁ ଲୋକ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। ସହରଠାରୁ ବହୁତ ଦୂରରେ ଡମ୍ପିୟାର୍ଡ଼ କରି ଅଳିଆ ପକାଯିବାକୁ ଦାବି ହୋଇଛି।