ନିଯୁକ୍ତି ପତ୍ରକୁ ‘ସଂକଳ୍ପ ପତ୍ର’ ଭାବନ୍ତୁ : ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ବର: ନିଯୁକ୍ତି ପତ୍ରକୁ ‘ସଂକଳ୍ପ ପତ୍ର’ ଭାବନ୍ତୁ। ଲୋକଙ୍କ ସରକାରର ଜଣେ ଜଣେ ପ୍ରତିନିଧି ଭାବରେ ଜନତାଙ୍କ ହିତ ପାଇଁ ତଥା ଜନକଲ୍ୟାଣକୁ ଗୁରୁତ୍ୱ ଦେଇ ସମାଜ ଓ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରନ୍ତୁ। ଆପଣମାନେ ସେବା ମନୋଭାବ ନେଇ ଲୋକଙ୍କ ପାଇଁ କାମ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ। ତ୍ରୟୋଦଶତମ ନିଯୁକ୍ତି ମେଳା ଅବସରରେ ତିନୋଟି ବିଭାଗରେ ନବ ନିଯୁକ୍ତ ୫୯୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହା କହିଛନ୍ତି।
ଓଡ଼ିଶା କୃଷି ଶିକ୍ଷା ସଦନସ୍ଥିତ ସଭାଗୃହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆପଣମାନେ ‘ମାନବ ସେବା ହିଁ ମାଧବ ସେବା’କୁ ଧେୟ କରି ସଚ୍ଚୋଟତା, ସମର୍ପଣ ଏବଂ ସହାନୁଭୂତିକୁ ଆପଣଙ୍କର ମାର୍ଗଦର୍ଶକ ଭାବରେ ଗ୍ରହଣ କରନ୍ତୁ। ସହୃଦୟତା ଓ ନ୍ୟାୟ ସହିତ ପ୍ରତ୍ୟେକ ନିଷ୍ପତ୍ତି ନେଇ ତୃଣମୂଳ ସ୍ତରରେ ଜନକଲ୍ୟାଣ ନୀତିଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରନ୍ତୁ। ସବୁବେଳେ ମନେ ରଖନ୍ତୁ, ମୋ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେଥିପାଇଁ ଆପଣମାନେ ଦୁର୍ନୀତିରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ। ମୋର ବିଶ୍ଵାସ, ଆପଣ ସମସ୍ତେ ନିଜ ପଦର ମୂଲ୍ୟ ବୁଝି ଅତ୍ୟନ୍ତ ନିଷ୍ଠା ଏବଂ ସଚ୍ଚୋଟତାର ସହ କାର୍ଯ୍ୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶାକୁ ଗଠନରେ ନିଜର ଯୋଗଦାନ ଦେବେ।


