December 4, 2024

ଜମ୍ମୁ କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଆକ୍ରମଣ

1 min read

ଜମ୍ମୁ କଶ୍ମୀର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଲୋକ, ଜଣେ ଡାକ୍ତରଙ୍କ ସମେତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଜମ୍ମୁ କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ରବିବାର ରାତିରେ ଗାନ୍ଦରବଲ ଜିଲ୍ଲାରେ ଏହି ଘଟଣା ଘଟିଛି। ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଶ୍ରମିକମାନେ ସୋନମାର୍ଗ ଅଞ୍ଚଳରେ ଏକ ଟନେଲ୍ କାର୍ଯ୍ୟରେ ନିୟୋଜିତ ଥିଲେ। ରାତ୍ରି ଭୋଜନ କରିବାକୁ ଯାଉଥିଲେ ଶ୍ରମିକ ରବିବାର ରାତି ପ୍ରାୟ ୮ ଟା ୩୦ ହେବ। ରାତ୍ରି ଭୋଜନ ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିଲେ। ସବୁ ଶ୍ରମିକ ଖାଇବା ପାଇଁ ମେସରେ ଏକାଠି ହୋଇଥିଲେ। ହଠାତ୍ ୨ ଜଣ ଆତଙ୍କବାଦୀ ବନ୍ଧୁକ ଧରି ସେଠାରେ ପହଞ୍ଚିଗଲେ। ସେମାନେ ଶ୍ରମିକଙ୍କୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ଚଳାଇଥିଲେ। ଶ୍ରମିକମାନେ କିଛି ବୁଝିବା ପୂର୍ବରୁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ। ଏହି ଫାୟାରିଂରେ ୨ଟି ଗାଡ଼ି ମଧ୍ୟ ପୋଡ଼ି ପାଉଁଶହୋଇ ଯାଇଥିଲା। ଗୁଳିମାଡ଼ କରି ଆତଙ୍କବାଦୀମାନେ ଫେରାର୍ ହୋଇଯାଇଥିଲେ। ଏହି ଆକ୍ରମଣରେ ୫ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେମାନଙ୍କୁ ଶ୍ରୀନଗରର ଶେର-ଏ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ ଉତ୍ତରପ୍ରଦେଶର ଏକ

ଏଜେନ୍ସି ଅଧୀନରେ ଟନେଲ୍ ପ୍ରକଳ୍ପରେ କାମ କରୁଥିଲେ। ପୁଣି ପ୍ରବାସୀ ନାଗରିକଙ୍କୁ ଟାର୍ଗେଟ କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ପ୍ରବାସୀ ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ମୃତ ଶ୍ରମିକମାନେ ଭାରତର ବିଭିନ୍ନ ରାଜ୍ୟର ବୋଲି ଜଣାପଡ଼ିଛି। ମୃତ ୬ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ବିହାରର, ୨ ଜଣ ମଧ୍ୟପ୍ରଦେଶର ଏବଂ ଅନ୍ୟଜଣେ ଜମ୍ମୁର ହୋଇଥିବା ସୂଚନା ମିଳିଛି। ସେହିପରି ମୃତ ଡାକ୍ତର ଜଣଙ୍କ ଘର କଶ୍ମୀରର ବଡଗାଓଁ ଅଞ୍ଚଳରେ ବୋଲି ଜଣାପଡ଼ିଛି। ନୀରିହ ଲୋକଙ୍କ ଉପରେ ଏପରି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଜମ୍ମୁ କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଆତଙ୍କୀ ସଂଗଠନ ଟିଆରଏଫର ବର୍ବରକାଣ୍ଡ ଜମ୍ମୁ କଶ୍ମୀର ପୋଲିସର ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହ ଜଡ଼ିତ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ (ଟିଆରଏଫ) ଏହି ଆକ୍ରମଣ କରିଛି। ଏହି ସଂଗଠନ ୨୦୧୯ରେ ନିଜର ଉପସ୍ଥିତି ଜାହିର କରିଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି। କଶ୍ମୀର ଘାଟିରେ ଏହି ସଂଗଠନ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି। ଏହି ସଂଗଠନ ସେନା ବାହିନୀ ସମେତ କଶ୍ମୀରରେ କାର୍ଯ୍ୟ କରୁଥିବା ପ୍ରବାସୀଙ୍କୁ ଟାର୍ଗେଟ କରିଥାଏ ବୋଲି କୁହାଯାଉଛି। ଏହି ଆତଙ୍କୀବାଦୀମାନେ କିଛି ଦିନ ପୂର୍ବରୁ ପାକିସ୍ତାନରୁ ସୀମା ପାର କରି ଆସିଥିଲେ। ସେମାନେ ଶ୍ରମିକ ଏବଂ ଇଞ୍ଜିନିୟରମାନଙ୍କୁ ଟାର୍ଗେଟରେ ରଖିଥିବା ପୋଲିସ ସନ୍ଦେହ କରୁଛି।