January 14, 2026

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’

1 min read

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରର ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ଭଗବାନ ବିର୍ସା ମୁଣ୍ଡା ରାସ୍ତା ଭାବେ ନାମିତ କରିଛନ୍ତି।

ଉପସ୍ଥିତ ରାଉରକେଲା ବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ , କିଶୋର ବୟସରୁ ବିର୍ସା ମୁଣ୍ଡା ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ବ ନେଇଥିଲେ। ବ୍ରିଟିଶ୍ ଶାସନ ଓ ସ୍ଥାନୀୟ ଜମିଦାରଙ୍କ ଶୋଷଣ ଓ ଅତ୍ୟାଚାରରେ ନିଷ୍ପେଷିତ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ଅଧିକାର ପାଇଁ ଲଢେଇ ଜାରି ରଖିଥିଲେ। ବିର୍ସା ମୁଣ୍ଡାଙ୍କ ବିଦ୍ରୋହ ଝାଡଖଣ୍ଡ, ଓଡିଶା, ବିହାର, ପଶ୍ଚିମ ବଙ୍ଗ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପୀ ଏକ ବିରାଟ ଆଦିବାସୀ ଆନ୍ଦୋଳନର ରୂପ ନେଇଥିଲା।