June 27, 2025

ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

1 min read

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷର ଉପଲବ୍ଧି ଏବଂ ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଥର ସରକାର ଗଢ଼ିବାର ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କ’ଣ ସବୁ କରିଛନ୍ତି ଗୋଟି ଗୋଟି କରି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମଙ୍ଗଳବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ବର୍ଣ୍ଣନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪ ଜୁନ ୯ ତାରିଖ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଗତକାଲି ମୋଦୀଙ୍କ ଦ୍ଵାରା ନେତୃତ୍ଵାଧିନ ସରକାର ସଫଳତାର ସହିତ ୧୧ ବର୍ଷ ପୂର୍ଣ୍ଣ କରିଛି। ଏହା ସହ ତୃତୀୟ ପାଳିର ପ୍ରଥମ ବାର୍ଷ ମଧ୍ୟ ପୂରଣ ହୋଇଛି।

୨୦୧୪ ମସିହା ମେ’ ୨୬ ତାରିଖରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ସମର୍ଥ ହୋଇଛନ୍ତି ମୋଦୀ ସରକାର। ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି କହିଛନ୍ତି, ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି। ମୋଦୀ ସରକାର ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ନୂଆ ଇତିହାସ ରଚିଲେ। ଦେଶର ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକ ଉଚ୍ଛେଦ, ଦେଶରେ ଏକକ ଜିଏସଟିର ପ୍ରଚଳନ କରିଥିଲେ। ଏହା ସହ କୋଭିଡ ମହାମାରୀ କବଳରୁ ଲୋକଙ୍କୁ ସୁରକ୍ଷିତ ରଖିବାରେ ମଧ୍ୟ ସଫଳ ହୋଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଶ୍ଵ ବ୍ୟାଙ୍କର ରିପୋର୍ଟ ସମ୍ପର୍କରେ ସେ କହିଛନ୍ତି, ୧୩ ବର୍ଷ ମଧ୍ୟରେ ଦେଶରେ ଦାରିଦ୍ର୍ୟଙ୍କ ସଂଖ୍ୟା ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ ଏହି ସମୟ ଭିତରେ ପ୍ରାୟ ୨୭ କୋଟି ଲୋକ ଦାରିଦ୍ର୍ୟତାରୁ ମୁକ୍ତି ପାଇଛନ୍ତି। ସାଧାରଣ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆସିପାରିଛି।

ସରକାରଙ୍କ ବିଭିନ୍ନ ଯୋଜନା ଯେପରିକି, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ଵଚ୍ଛ ଭାରତ ଯୋଜନା, ନୂତନ ଶିକ୍ଷା ନୀତି, ଜନଧନ ଯୋଜନା, ବେଟି ବଚାଓ ବେଟି ପଢ଼ାଓ ଆଦି ଦେଶର ସାଧାରଣ ଜନତାଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ନିଜ ସଙ୍କଳ୍ପ ପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିବାର ପ୍ରଥମ ଦିନରେ ହିଁ ଶ୍ରୀମନ୍ଦିରର ଚାରି ଦ୍ଵାରା ଖୋଲାଗଲା। ବିଜେପି ସରକାରକୁ ଲୋକଙ୍କ ସରକାର ବୋଲି ଗ୍ରହଣ କରିଛନ୍ତି ରାଜ୍ୟବାସୀ। ଏହା ଆମ ସରକାର ପାଇଁ ବହୁ ବଡ଼ ଉପଲବ୍ଧି।”

ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ ସହଯୋଗ ମିଳିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୬ ସୁଦ୍ଧା ଆମେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏହା ସହିତ ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇବାକୁ ଲକ୍ଷ୍ୟ ରହିଛି। ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ ୨୮ ହଜାର ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ଆହୁରି ୪୦ ହଜାର ନିଯୁକ୍ତି ଦେବାକୁ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଏବଂ ବିମାନ ସେବା ଆଦିରେ ଉନ୍ନତି ଆସିଛି। ଆସନ୍ତା ୨୦୩୬ ମସିହା ସୁଦ୍ଧା ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବ। ୨୦୩୬ ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା। ଓଡ଼ିଶାକୁ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରହିଛି। ଗୁଡ ଗଭର୍ଣ୍ଣାନ୍ସରେ ଓଡ଼ିଶା ଏବେ ସାରା ଦେଶରେ ଏକ ମଡେଲ। ଗୋଟିଏ ବର୍ଷରେ ଅନେକ ସଫଳତା ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।