January 24, 2026

ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

1 min read

ନୂଆଦିଲ୍ଲୀ: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ସେଠାରେ ବହୁ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। କେତେକ କମ୍ପାନି ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌), ପେଟ୍ରୋନେଟ ଏଲ୍‌ଏନ୍‌ଏଜି ଏବଂ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ ସମେତ ପ୍ରମୁଖ ଉଦ୍ୟୋଗ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଏହା ସହ ନୋଏଡାର ଏଚସିଏଲ କମ୍ପାନି ସହ ଓଡ଼ିଶାର ନିବେଶ ପାଇଁ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରେ ଶିଳ୍ପାୟନକୁ ମଜବୁତ କରିବା, ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଆକର୍ଷିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଏହି ଗସ୍ତର ଲକ୍ଷ୍ୟ ରହିଛି ।