ଗଞ୍ଜାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ
1 min read
ପୁରୁଷୋତ୍ତମପୁର: ଗଞ୍ଜାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେବେ। ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଗଞ୍ଜାମ ଜିଲାପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନଙ୍କ ତତ୍ତ୍ୱାବଧାନରେ ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ଅତିରିକ୍ତ ଏସପି ପ୍ରଶାନ୍ତ ଦାଶ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତ କୁମାର ପାତ୍ର, ଏସଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣୀ ସେଠୀ ଉପସ୍ଥିତ ରହି ତଦାରଖ କରିବାରେ ଲାଗିଛନ୍ତି। କିପରି ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଆସି ମା’ଙ୍କ ଦର୍ଶନ କରିପାରିବେ, ମାନସିକଧାରୀମାନେ ମୁଣ୍ଡନ କରିବେ, ସେଥିନେଇ ଅସ୍ଥାୟୀ ବସଷ୍ଟାଣ୍ଡ, ପାହାଡ ଉପରକୁ ଯିବାଲାଗି ସ୍ବତନ୍ତ୍ର ବସ, ରୋପୱେର ବ୍ୟବସ୍ଥା, ପାନୀୟ ଜଳ, ଆଦି ବିଭିନ୍ନ ବନ୍ଦୋବସ୍ତ କରାଯାଇଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ୨ ଜଣ ଅତିରିକ୍ତ ଏସପି,୪ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର,୧୧୨ ଜଣ ଏସଆଇ,ଏଏସଆଇ,୨୫୦ ହୋମଗାର୍ଡ,୧୫୪ ଓପିଏଫ, ୧୧ ଜଣ ହାବିଲଦାର ଓ ୧୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାବେଳେ ବହୁ ସ୍ବେଚ୍ଛାସେବୀ, ବାରିକ ନିୟୋଜିତ ହୋଇଛନ୍ତି।


