୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ଜନଗଣନା
1 min read
ଭୁବନେଶ୍ବର : ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ଜନଗଣନା । ଏହି ଜନଗଣନାରେ ଜାତି ଓ ଉପଜାତି ତଥ୍ୟ ମଧ୍ୟ ରହିବ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଲଦାଖ ଏବଂ ଜମ୍ମୁ ଓ କଶ୍ମୀରରେ ଆଗୁଆ ଜନଗଣନା ଆରମ୍ଭ ହୋଇପାରେ । ୨୦୨୬ ଅକ୍ଟୋବର ମାସ ପ୍ରାରମ୍ଭରୁ ଏହି ସବୁ ଅଞ୍ଚଳଗୁଡ଼ିକରେ ଜନଗଣନା ଆରମ୍ଭ ହେବ।
ଆଗାମୀ ଜନଗଣନାରେ ଜାତିଭିତ୍ତିକ ଜନଗଣନାକୁ ସାମିଲ କରାଯିବ ବୋଲି କିଛି ସପ୍ତାହ ତଳେ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏବେ ଏହି ଅଗ୍ରଗତି ଦେଖାଯାଇଛି। ସାମାଜିକ ଓ ଅର୍ଥନୀତିକ ସଶକ୍ତୀକରଣ ଏବଂ ସାମଗ୍ରିକ ଜାତୀୟ ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ଜାତିଭିତ୍ତିକ ଜନଗଣନା ଏକ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସାଧାରଣତଃ ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ଦେଶରେ ଶେଷ ଜନଗଣନା ୨୦୧୧ରେ ହୋଇଥିଲା। ୨୦୨୧ରେ ପୁଣି ଜନଗଣନା ହୋଇଥା’ନ୍ତା। କିନ୍ତୁ କୋଭିଡ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ଦୀର୍ଘ ୧୬ ବର୍ଷ ପରେ ୨୦୨୭ରେ ଦେଶରେ ପରବର୍ତ୍ତୀ ଜନଗଣନା ହେବ ବୋଲି ସୂଚନା ମିଳିଛି।