February 19, 2026

ଜମିଜମା ଗଣ୍ଡଗୋଳରୁ ଭାଇ ଭାଇକୁ ଛୁରୀ ମାଡ଼

1 min read

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ରାଜପୁର ଗ୍ରାମରେ ଜମିଜମା ଗଣ୍ଡଗୋଳରୁ ଭାଇ ଭାଇକୁ ଛୁରୀ ମାଡ଼ କରିଛି। ଛୁରୀ ମାଡରେ ଗୁରୁତର ହୋଇଥିବା ଯୁବକଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଓ ସେଠାରୁ ପୁଣି ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି।ବିବରଣୀରୁ ପ୍ରକାଶ ଯେ ଆଜି ପୂର୍ବାହ୍ନରେ ରାଜପୁର ଗ୍ରାମରେ ଆଜି ସେକ ସଲାମତ ଓ ତାଙ୍କ ଭାଇମାନଙ୍କ ମଧ୍ୟରେ ଜମି ଭାଗବଣ୍ଟା ପାଇଁ ଜମି ମାପଚୁପ ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସଲାମତଙ୍କ ପୁତ୍ର ସେକ ସରାଫତ୍ (୩୦)ଙ୍କ ସହ ତାଙ୍କ କକା ପୁଅ ଭାଇ ଅର୍ଥାତ୍ ସେକ ରିଆସତ୍‌ଙ୍କ ପୁଅ ସେକ କରାମତ୍ (୨୮)ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ହଠାତ୍ କରାମତ୍ ଉତ୍ତେଜିତ ହୋଇ ନିଜ ପାଖରେ ରଖିଥିବା ଏକ ଛୁରୀରେ ସରାଫତ୍‌ଙ୍କ ଉପରକୁ ଆକ୍ରମଣ କରିଥିଲେ। ସରାଫତ୍‌ଙ୍କ ଜଙ୍ଘ ଓ ପେଟ ରେ କରାମତ୍ ଛୁରୀ ଭୁସି ଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପର୍କୀୟମାନେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵରକୁ ସ୍ଥାନାନ୍ତରିତ କରାଯାଇଛି। ଛୁରୀମାଡ଼ର କାରଣ କେବଳ ଜମିଜମା ଗଣ୍ଡଗୋଳ ନୁହେଁ ଅନ୍ୟ ଏକ କାରଣ ରହିଛି ବୋଲି ସରାଫତଙ୍କ ଭାଇ ସେକ ରାହତ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଲେଖା ହେବା ଯାଏଁ ଜଳେଶ୍ୱର ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଖବର ପାଇବା ପରେ ପୁଲିସ ନିଜ ଆଡୁ ଘଟଣାର ତଦନ୍ତ କରିଛି।