March 10, 2026

‘ଓଡ଼ିଶା-୫୦୦ ଇୟର୍ସ’ ପୁସ୍ତକ ଉନ୍ମୋଚିତ

1 min read

ଭୁବନେଶ୍ୱର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପ୍ରକାଶିତ ଲେଖକ ଓ ସାମ୍ବାଦିକ ଭାସ୍କର ପରିଚ୍ଛାଙ୍କ ଲିଖିତ ପୁସ୍ତକ “ଓଡ଼ିଶା – ୫୦୦ ଇୟର୍ସ ଅଫ୍ ଟର୍ମଅଏଲ, ମାହେମ୍ ଆଣ୍ଡ ସବ୍‌ଯୁଗେସନ୍” ଉନ୍ମୋଚିତ ହୋଇଛି। ମଙ୍ଗଳବାର ସଂଧ୍ୟାରେ ପେନ୍ ଇନ୍ ବୁକ୍ସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ ଏ ଅଭିନବ ପୁସ୍ତକର ପ୍ରଶଂସା କରିବା ସହ ଓଡ଼ିଶାର ଗୌରବାବହ ଇତିହାସ ସମ୍ପର୍କରେ ବିଶ୍ୱ ସମୁଦାୟକୁ ଅଧିକ ଜଣାଇବା ଆବଶ୍ୟକ ବୋଲି ମତ ଦେଇଥିଲେ। ଲେଖକ ଶ୍ରୀ ପରିଚ୍ଛା ନିଜର ବକ୍ତବ୍ୟରେ କହିଥିଲେ ଯେ ଇତିହାସକୁ ଗବେଷଣା ସର୍ବସ୍ୱ ନକରି ସବୁବର୍ଗର ପାଠକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏ ପୁସ୍ତକଟି ରତିତ ହୋଇଛି। ପୁସ୍ତକରେ ମୁକୁନ୍ଦ ଦେବଙ୍କ ରାଜତ୍ୱ ସମୟରୁ ବର୍ତ୍ତମାନ ଯାଏଁ ଓଡ଼ିଶାର ଇତିହାସ ସ୍ଥାନ ପାଇଛି।କଥାଶିଳ୍ପୀ ତଥା ପେନ୍ ଇନ୍ ବୁକ୍ସର ପ୍ରତିଷ୍ଠାତା ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ସଂଚାଳନ କରିଥିଲେ କବି ତଥା ଅନୁଷ୍ଠାନର ସହମହାପ୍ରବନ୍ଧକ ପବିତ୍ର ମୋହନ କର। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ସୁର ନାରାୟଣ ପାତ୍ର, ଲିପି ପରିଡ଼ା, ସ୍ନେହପ୍ରଭା ଦାସ, ଚିନ୍ମୟ ହୋତା, ଶଙ୍କର ନାରାୟଣ ମଲ୍ଲିକ, ମଧୁସୂଦନ ମିଶ୍ର, ତେଜେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।