February 17, 2026

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ

1 min read

କେନ୍ଦୁଝର: କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ ୯.୩୦ରେ ବନ୍ଧୁକ ଦେଖାଇ ଲୁଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଜଣେ ଧାନ ବ୍ୟବସାୟୀ କେନ୍ଦୁଝର ଲକ୍ଷାଧିକ ଟଙ୍କା ଧରି ଏକ ବାଇକରେ ମଇଦାନକେଲ ସ୍ଥିତ ଗୋଦାମକୁ ଯାଉଥିବା ବେଳେ ଅନ୍ୟ ଏକ ବାଇକରେ ଦୁଇ ଲୁଟେରା ପିଛା କରି ରାସ୍ତାରେ ଅଟକାଇଥିଲେ ।

ରାସ୍ତାରେ ଏକ ହମ୍ପସ ନିର୍ମାଣ ହେଉଥିବାରୁ ଗାଡ଼ିର ବେଗ କମ କରିଦେବାରୁ ଦୃର୍ବୁତ୍ତମାନେ ତାଙ୍କୁ ପାର ହୋଇ ବନ୍ଧୁକ ଦେଖାଇ ଅଟକାଇ ଥିଲେ। ସେଠାରେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍ ଲୁଟ କରି କେନ୍ଦୁଝର ସହର ଆଡ଼କୁ ପଳାଇ ଯାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ସେମାନଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି। ସେମାନେ ଓଡ଼ିଆରେ କଥା ବାର୍ତ୍ତା ହେଉଥିଲେ ବୋଲି ଜଣା ପଡିଛି। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ସେମାନଙ୍କ ଗତିବିଧି ନିରୀକ୍ଷଣ କରିଥିବା ଜଣା ପଡ଼ିଛି । ତେବେ ଲୁଟ୍ ପଛରେ କାହାର ହାତ ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।