September 2, 2026

ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ

1 min read

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫ ଅନୁସାରେ, ଗତବର୍ଷ ସରକାରୀ ସଂସ୍ଥାଗୁଡ଼ିକ ବିରୋଧରେ ମୋଟ ୭୦,୫୮୪ଟି ଦୁର୍ନୀତି ସମ୍ପର୍କିତ ଅଭିଯୋଗ ମିଳିଥିଲା। ଏହି ଅଭିଯୋଗଗୁଡ଼ିକ ମୁଖ୍ୟ ଭିଜିଲାନ୍ସ ଅଧିକାରୀ (CVO)ଙ୍କ ନିକଟକୁ ଆସିଥିଲା। ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଏଥିରୁ ୬୪,୯୦୫ଟି ଅଭିଯୋଗର ସମାଧାନ କରାଯାଇଥିବା ବେଳେ ୫,୬୭୯ଟି ଅଭିଯୋଗ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ପାଇଁ ବାକି ରହିଥିଲା।

CVC ରିପୋର୍ଟ ଅନୁସାରେ, ବର୍ଷ ଶେଷ ସୁଦ୍ଧା ବିଚାରାଧୀନ ଥିବା ୫,୬୭୯ଟି ଅଭିଯୋଗ ମଧ୍ୟରୁ ୨,୦୦୨ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ଚାଲିଥିଲା। ସାଧାରଣତଃ CVOମାନେ ୩ ମାସ ମଧ୍ୟରେ ଅଭିଯୋଗର ତଦନ୍ତ ଶେଷ କରିବା ଆଶା କରାଯାଏ। ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ CVC ସମୟ ସମୟରେ CVOଙ୍କ ପାଖରେ ଚାଲିଥିବା ମାମଲାର ସମୀକ୍ଷା କରୁଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ, ବ୍ୟାଙ୍କଗୁଡ଼ିକ ବିରୋଧରେ ସର୍ବାଧିକ ୯,୯୩୩ଟି ଅଭିଯୋଗ ଆସିଥିଲା। ଏଥିରୁ ୯,୫୨୦ଟିର ସମାଧାନ କରାଯାଇଥିବା ବେଳେ ୪୧୩ଟି ଅଭିଯୋଗ ଲମ୍ବିତ ଥିଲା। ଏଥିରୁ ୫୨ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ପଡ଼ି ରହିଥିଲା।

ରେଳବାଇ ସମ୍ପର୍କିତ ୯,୩୮୧ଟି ଅଭିଯୋଗ CVOଙ୍କ ନିକଟକୁ ଆସିଥିଲା। ଏଥିରୁ ୮,୭୫୪ଟିର ସମାଧାନ ହୋଇଥିବା ବେଳେ ୬୨୭ଟି ଅଭିଯୋଗ ଲମ୍ବିତ ଥିଲା। ଏଥିରୁ ୧୦ଟି ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ବିଚାରାଧୀନ ଥିଲା। CVC ରିପୋର୍ଟ ଅନୁସାରେ, ଆବାସ ଓ ସହରାଞ୍ଚଳ ବ୍ୟାପାର ସମ୍ପର୍କିତ ବିଭାଗ ବିରୋଧରେ ୬,୫୩୧ଟି ଅଭିଯୋଗ ମିଳିଥିଲା। ଦିଲ୍ଲୀ ସରକାରକୁ ବାଦ ଦେଇ ସ୍ଥାନୀୟ ସଂସ୍ଥାଗୁଡ଼ିକ ବିରୋଧରେ ୪,୮୩୪ଟି ଅଭିଯୋଗ ଆସିଥିଲା।

ଏହା ବ୍ୟତୀତ କୋଇଲା କ୍ଷେତ୍ରର କର୍ମଚାରୀଙ୍କ ସମ୍ପର୍କରେ ୪,୧୧୮ଟି, ଫାଇନାନ୍ସ ସେକ୍ଟର ସମ୍ପର୍କରେ ୩,୧୦୭ଟି, ଦିଲ୍ଲୀ ସରକାର ବିରୋଧରେ ୨,୮୦୪ଟି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ପର୍କରେ ୨,୭୨୨ଟି ଅଭିଯୋଗ ମିଳିଥିଲା। ସେହିପରି ଦିଲ୍ଲୀ ପୋଲିସ ବିରୋଧରେ ୨,୬୩୩ଟି, ସଡ଼କ ପରିବହନ ଓ ରାଜପଥ କ୍ଷେତ୍ରରେ ୨,୧୩୯ଟି ଏବଂ ଦିଲ୍ଲୀ ପୋଲିସକୁ ବାଦ ଦେଇ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସମ୍ପର୍କିତ ୨,୦୩୬ଟି ଅଭିଯୋଗ ମିଳିଥିଲା। ୨୦୨୫ରେ CVC ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ CVOଙ୍କ ନିକଟକୁ ମୋଟ ୧୮,୬୫୧ଟି ଅଭିଯୋଗ ପଠାଯାଇଥିଲା।

ଏଥିରୁ ସର୍ବାଧିକ ୪,୧୧୦ଟି ଅଭିଯୋଗ ଦିଲ୍ଲୀ ସରକାରକୁ ବାଦ ଦେଇ ସ୍ଥାନୀୟ ସଂସ୍ଥାଗୁଡ଼ିକ ସମ୍ପର୍କିତ ଥିଲା। ଏହା ପରେ ବ୍ୟାଙ୍କ ବିରୋଧରେ ୧,୭୪୯ଟି, ରେଳବାଇ ସମ୍ପର୍କିତ ୧,୪୨୮ଟି, ପେଟ୍ରୋଲିୟମ ମନ୍ତ୍ରଣାଳୟ ବିରୋଧରେ ୧,୩୧୮ଟି, ଦିଲ୍ଲୀ ସରକାର ସମ୍ପର୍କିତ ୧,୩୦୭ଟି ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ବିରୋଧରେ ୧,୦୧୬ଟି ଅଭିଯୋଗ ରହିଥିଲା।