୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତରେ ୮ ଗୁଣ ବଢ଼ିଛି ବ୍ୟାଙ୍କ ଠକେଇ
1 min readନୂଆଦିଲ୍ଲୀ : ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ଦ୍ରୁତ ଗତିରେ ବଢ଼ିଛି ବ୍ୟାଙ୍କ ଠକେଇ। ଗତ ଅର୍ଥିକ ବର୍ଷ ତୁଳନାରେ ଏ ବର୍ଷ ବ୍ୟାଙ୍କ ଠକେଇ ୮ ଗୁଣ ବଢ଼ିଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଆରବିଆଇ ରିପୋର୍ଟ ଅନୁସାରେ ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୮ ହଜାର ୪୬୧ଟି ବ୍ୟାଙ୍କ ଠକେଇ ମାମଲା ରୁଜୁ କରାଯାଇଛି। ଏଥିରେ ୨୧ ହଜାର ୩୬୭ କୋଟି ଟଙ୍କାର ଠକେଇ ହୋଇଛି। ଗତବର୍ଷ ସମାନ ସମୟ ତୁଳନାରେ ଏହା ଯଥେଷ୍ଟ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ଏହି ସମୟ ମଧ୍ୟରେ ୧୪ ହଜାର ୪୮୦ ମାମଲାରେ ମାତ୍ର ୨,୬୨୩ କୋଟି ଟଙ୍କାର ଠକେଇ ରିପୋର୍ଟ ହୋଇଥିଲା।
ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ଭାରତରେ ବ୍ୟାଙ୍କିଙ୍ଗ ଟ୍ରେଣ୍ଡ ଏବଂ ପ୍ରଗତି ଉପରେ ଆର୍ଥିକ କ୍ଷେତ୍ରରେ ଏକ ଚିନ୍ତାଜନକ ଧାରା ଉପରେ ଆଲୋକପାତ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ଠକେଇ ପରିମାଣ ରେକର୍ଡ କରାଯାଇଥିବାବେଳେ ୨୦୨୫ ଆର୍ଥିକ ବର୍ଷରେ ଏହାର ପୁନର୍ବାର ବୃଦ୍ଧି ଘଟଣା ଚିନ୍ତା ବଢ଼ାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଠକେଇ ମାମଲା ୩୬ ହଜାର ୬୬ ଥିଲା। ଏଥିରେ ୧୩ ହଜାର ୧୭୫ କୋଟି ଟଙ୍କା ଠକେଇ ହୋଇଥିଲା।
ବ୍ୟାଙ୍କ ଠକେଇ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଏକାଧିକ ବିପଦ ସୃଷ୍ଟି କରିଥାଏ। ଏହା ଗ୍ରାହକଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିଥାଏ। ଜାଲିଆତି କାର୍ଯ୍ୟକଳାପକୁ ଚିହ୍ନଟ କରିବା ଏବଂ ହ୍ରାସ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆରବିଆଇ ଗୁରୁତ୍ୱାରୋପ କରିଛି।
ଠକେଇ ମାମଲା ବଢ଼ୁଥିବାବେଳେ ଆରବିଆଇର ରିପୋର୍ଟରେ ବ୍ୟାଙ୍କିଂ କ୍ଷେତ୍ରରେ ସତର୍କତା ରହିବା ନେଇ ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ୟାଙ୍କିଙ୍ଗରେ ଡିଜିଟାଲ ପ୍ଲାଟଫର୍ମ ବଢୁଥିବାରୁ ଇଣ୍ଟରନେଟ ଏବଂ କାର୍ଡ କାରବାରରେ ସମସ୍ୟା ଦୂର କରିବା ଏକ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।