ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ
1 min read
ଦେବଗଡ଼: ରିଆମାଳ ଥାନା ଅଧୀନ ନାଉଲିପଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମାମୁଘରକୁ ଆସି ପୋଖରୀକୁ ଏକୁଟିଆ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁକନ୍ୟା ସୁନ୍ଦରଗଡ଼ ଜିଲା ବଣେଇ ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ୬ ବର୍ଷର ଝିଅ ଦୀପ୍ତିରାଣୀ ସାହୁ ବୋଲି ଜଣାପଡ଼ିଛି ।ଦୀପ୍ତିରାଣୀ ମା’ଙ୍କ ସହିତ ଛୁଟି କାଟିବା ପାଇଁ ମାମୁଘର ବୁଲିବାକୁ ଆସିଥିଲା। ଶନିବାର ପୂର୍ବାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପାଣିରେ ବୁଡ଼ି ଯାଇଥିଲା। ଗ୍ରାମର କିଛି ଲୋକେ ଏହା ଦେଖିବା ପରେ ଦୀପ୍ତିରାଣୀକୁ ଉଦ୍ଧାର କରିଥିଲେ। ସୂଚନା ପାଇ ମୃତ ଶିଶୁକନ୍ୟାଙ୍କ ଅଜା ଅଖେଇ ବେହେରା ଦୀପ୍ତିରାଣୀଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ରିଆମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇ ପୋଲିସ ତଦନ୍ତ କରୁଛି।


