ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ
1 min read
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ମୁଁ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲି। ସେ ବହୁତ ସାହସୀ, ଏବଂ ଆଉ ମୁଁ ନିଶ୍ଚିତ ଯେ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ। ତାଙ୍କ ଉତ୍ତମ ସ୍ୱାସ୍ଥ୍ୟାବସ୍ଥା ପାଇଁ ମୁଁ ପ୍ରାର୍ଥନା କରୁଛି।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ୍ସ ରେ ଲେଖିଛନ୍ତି ପଓ୍ବନ୍ କଲ୍ୟାଣଙ୍କ ଅସ୍ତ୍ରୋପଚାର ପରେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୋର ଶୁଭକାମନା। ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ। ଶନିବାର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଶୁକ୍ରବାର ସକାଳେ, ଯେତେବେଳେ ସେ ତାଙ୍କ ଅଧିକାରୀଙ୍କ ସହିତ ପ୍ରଶାସନିକ ବିଷୟ ଉପରେ ଆଲୋଚନା କରୁଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ଭାବରେ ବିଗିଡ଼ି ଯାଇଥିଲା। ଗତ କିଛି ମାସ ଧରି ସେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ପରାମର୍ଶରେ, ସେ ଶୁକ୍ରବାର ପାଇଁ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବାତିଲ କରି ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ଏମ୍ଆରଆଇ ଏବଂ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ କିଛି ପରୀକ୍ଷା କରାଯାଇଥିଲା। ୧୦ରୁ ୧୨ ଦିନ ବିଶ୍ରାମ ନେବା ପରେ ସେ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।


