April 20, 2026

ଆଗରକରଙ୍କୁ ମନୋନୟନ କମିଟି ଅଧ୍ୟକ୍ଷ ଭାବେ ବର୍ଷେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇର ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ମନୋନୟନ କମିଟି ଅଧ୍ୟକ୍ଷ ଅଜିତ ଆଗରକରଙ୍କୁ ଏକ ବଡ଼ ପୁରସ୍କାର ଦେବାକୁ ଯାଉଛି ବିସିସିଆଇ। ରିପୋର୍ଟ ଅନୁଯାୟୀ, ବିସିସିଆଇ ପକ୍ଷରୁ ଆଗରକରଙ୍କୁ ମନୋନୟନ କମିଟି ଅଧ୍ୟକ୍ଷ ଭାବେ ବର୍ଷେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ନିଷ୍ପତ୍ତି ହୋଇଛି। ଆଗରକର ମନୋନୟନ କମିଟି ଅଧ୍ୟକ୍ଷ ହେବା ପରଠାରୁ ଭାରତ ୩ଟି ଆଇସିସି ଟ୍ରଫି ହାସଲ କରିଛି। ମନୋନୟନ କମିଟି ଅଧ୍ୟକ୍ଷ ଭାବେ ଆଗରକରଙ୍କ ଚୁକ୍ତିନାମା ଜୁନରେ ଶେଷ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଆଗରକରଙ୍କ ଚୁକ୍ତିକୁ ୨୦୨୭ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ୨୦୨୭ରେ ଦିନିକିଆ ବିଶ୍ବକପ ରହିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଯାଉଛି। କିନ୍ତୁ ଅଦ୍ୟାବଧି ବିସିସିଆଇ କୌଣସି ଔପଚାରିକ ଘୋଷଣା କରିନାହିଁ।

ଆଗରକର ଭାରତୀୟ ସିନିୟର ମନୋନୟନ କମିଟିର ମୁଖ୍ୟ ହେବା ପରଠାରୁ ଭାରତ ୨୦୨୪ ଟି୨୦ ବିଶ୍ବକପ, ୨୦୨୫ ଆଇସିସି ଚମ୍ପିଆନ୍‌ସ ଟ୍ରଫି ଓ ୨୦୨୬ ଟି୨୦ ବିଶ୍ବକପ ଜିତିଥିବାବେଳେ ୨୦୨୩ ଦିନିକିଆ ବିଶ୍ବକପର ଫାଇନାଲରେ ପହଞ୍ଚିଥିଲା। ବିସସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ଏକ ସୁଗମ ପରିବେଶ ଦେଇ ଗତି କରୁଛି। ସେ ସାହସିକ ନିଷ୍ପତ୍ତି ନେବା​‌େ​ର କୌଣସି ଦ୍ବିଧା ପ୍ରଦର୍ଶନ କରିନଥିଲେ। ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଟେଷ୍ଟ ଓ ଟି୨୦ କ୍ରିକେଟରୁ ଧିରେଧିରେ ହଟାଇବା ପାଇଁ ସାହସିକତା ପଦକ୍ଷେପ ନେଇଥିଲେ। ବୋର୍ଡ ଅନୁଭବ କରିଥିଲା ଯେ ତାଙ୍କୁ ଏହି ପଦବୀରେ ରହିବା ଉଚିତ। ବିସିସିଆଇ ପଦାଧିକାରୀ ଆଇପିଏଲ ମ୍ୟାଚ ସମୟରେ ଆଗରକରଙ୍କ ସହିତ ଆଲୋଚନା କରିବେ। ୨୦୨୩ରୁ ଆଗରକର ଭାରତୀୟ ସିନିୟର ମନୋନୟନ କମିଟିର ମୁଖ୍ୟ ଭାବେ ରହିଛନ୍ତି। ୩ ବର୍ଷୀୟା ଚୁକ୍ତି ଅନୁଯାୟୀ ତାଙ୍କ କାର୍ଯ୍ୟକାଳ ୨୦୨୬ ଜୁନରେ ଶେଷ ହେଉଛି। ମନୋନୟନ କମିଟି ଅଧ୍ୟକ୍ଷ ଭାବେ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି ହେଲେ ସନ୍ଦୀପ ପାଟିଲ, କେ. ଶ୍ରୀକାନ୍ତ ଓ ଏମ୍‌ଏସ୍‌କେ ପ୍ରସାଦଙ୍କ ସହ ଆଗରକର ସମକକ୍ଷ ହେବେ। ଶ୍ରୀକାନ୍ତ, ପାଟିଲ ଓ ପ୍ରସାଦ ସିନିୟର ମନୋନୟନ କମିଟି ଅଧ୍ୟକ୍ଷ ଭାବେ ୪ ବର୍ଷ ଲେଖାଏଁ ଦାୟିତ୍ବ ତୁଲାଇଛନ୍ତି।