ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ
1 min read
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦରଥାନା ସାନପତ୍ରାପାଲି ପଞ୍ଚାୟତ ପାତକିଯୋରରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଗାଁର ରତ୍ନାକର ରକ୍ସା (୪୯)। ସେ ଶନିବାର ରାତି ନିଜ ଘରଠାରୁ ୧ କିଲୋମିଟର ଦୂରରେ ଥିବା ବତକ ଚାଷ କ୍ଷେତ୍ର (ଫାର୍ମ ହାଉସ୍)କୁ ଯାଇଥିଲେ। ଏହି ସମୟରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା। ସେ ବତକ ଘର ଭିତରକୁ ଦୌଡ଼ି ଯାଉଥିବା ବେଳେ ହଠାତ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ସେ ତଳେ ପଡ଼ି ଅଚେତ ହୋଇଗଲେ। ତାଙ୍କ ସ୍ତ୍ରୀ ସାବିତ୍ରୀ ଏହା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦରଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ସଦରଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


