ଭଲ କବିତାର ଖୋଜ୍’ ପକ୍ଷରୁ ବାଲେଶ୍ଵର ଜିଲ୍ଲା ଏସିପିଏଲ୍ ସଭାଗୃହରେ କବି ଭାନୁଜୀ ରାଓଙ୍କ ଶତବାର୍ଷିକୀ ଅବସରରେ ଅନୁଷ୍ଠିତ
1 min read
ବାଲେଶ୍ଵର: ଭଲ କବିତାର ଖୋଜ୍’ ପକ୍ଷରୁ ବାଲେଶ୍ଵର ଜିଲ୍ଲା ଏସିପିଏଲ୍ ସଭାଗୃହରେ କବି ଭାନୁଜୀ ରାଓଙ୍କ ଶତବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ଭାନୁଜୀ ରାଓ ସନ୍ଧ୍ୟା। ‘ଭଲ କବିତାର ଖୋଜ୍’ର ଆବାହକ କବି କୃଷ୍ଣ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଏହି ବିଶେଷ ସାରସ୍ଵତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଶିଷ୍ଟ ଆଲୋଚକ ତଥା କବି ଡକ୍ଟର ଦିଲ୍ଲୀପ କୁମାର ସ୍ଵାଇଁ କହିଥିଲେ, “ଓଡ଼ିଆ କବିତାରେ ଥିବା ଶାସ୍ତ୍ରୀୟ ପଣକୁ ଗୁଣ୍ଡ କରି ଓଡ଼ିଆ କବିତାକୁ ନୂତନ ନିର୍ମାଣରେ ଅଭିଷେକ କରିଥିବା କବି ହେଲେ କବି ଭାନୁଜୀ ରାଓ। ଗୁରୁପ୍ରସାଦ ମହାନ୍ତିଙ୍କ ସହଯାତ୍ରୀ ଭାବରେ ଭାନୁଜୀ ରାଓ କାବ୍ୟ ଯାତ୍ରା ଆରମ୍ଭ କରିଥିଲେ ହେଁ ସେ ସେତିକି ଆଲୋଚିତ ହୋଇନପାରିଥିଲେ।”
ଡକ୍ଟର ଦିଲ୍ଲୀପ କୁମାର ସ୍ଵାଇଁ ଆହୁରି କହିଲେ ଯେ, ଭାନୁଜୀ ରାଓଙ୍କ ‘ବିଷାଦ ଏକ ଋତୁ’ରେ ରହିଛି ଏକ ନାରୀଜ ବିଷାଦ। ନାରୀ ଏକ ଆତତାୟୀ ପରି ଲାଗିଛନ୍ତି ତାଙ୍କୁ। ତେଣୁ ସେ ଭୟ ଥିଲା ନାରୀର ଭୟ। ପ୍ରଚଣ୍ଡ ନିଃସଙ୍ଗତାର ସିଂହାସନରେ ବସିଥିବା ଭାନୁଜୀ ରାଓ ଥିଲେ ବିଷାଦବୋଧର ଜଣେ ରୋମାଣ୍ଟିକ କବି।
‘ଭଲ କବିତାର ଖୋଜ୍’ ବାଲେଶ୍ଵରରେ ଯେଉଁ ନୂତନ ପଦକ୍ଷେପ ନେଇଛି ତାହା ସାରା ଓଡ଼ିଶାରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଭଲ କବିତା ଖୋଜ୍’ର ସଚିବ କବି ଉତ୍ପଳ ମହାନ୍ତି ପ୍ରରମ୍ଭିକ ଅଭିଭାଷଣ ରଖିଥିଲେ। ଅନ୍ୟତମ ଆବାହକ ବରିଷ୍ଠ କବି ଶ୍ରୀଦେବ ‘ଭଲ କବିତାର ଖୋଜ୍’ର ଆଭିମୁଖ୍ୟ ସମ୍ପର୍କରେ କହିବା ସହିତ ଭାନୁଜୀ ରାଓଙ୍କ ଏକ କବିତା ପାଠ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ସାରସ୍ଵତ କାବ୍ୟ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ କବି ଓ ଆଲୋଚକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ସୁଲେଖକ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ବ୍ୟଙ୍ଗସ୍ରଷ୍ଟା ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମାଲୋଚକ ଓ କବି ଡକ୍ଟର ସନ୍ତୋଷ କୁମାର ନାୟକ ପ୍ରମୁଖ ବିଭିନ୍ନ ଦୃଷ୍ଟିକୋଣରୁ ଭାନୁଜୀ ରାଓଙ୍କ କବିତା ସମ୍ପର୍କରେ ଆଲୋଚନା କରିବା ସହିତ ଭାନୁଜୀ ରାଓ କିପରି ତାଙ୍କ କବିତାରେ ଗୋଟିଏ ସହଜ ଶବ୍ଦକୁ ଅସାଧାରଣ କରି ପାରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସେହିପରି ଭାନୁଜୀ ରାଓଙ୍କ ଭିନ୍ନ ଭିନ୍ନ କବିତାକୁ ନିଜ ନିଜ ପସନ୍ଦରେ ଆବୃତ୍ତି କରିଥିଲେ କବି ପ୍ରଶାନ୍ତ ଦାସ, କବି ତଥା ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି ସିତାଂଶୁ ଲେଙ୍କା, କବି ରଞ୍ଜନ ବାଗ, କବି ଶୁଭେନ୍ଦୁ ଦାସ, କବି ସୁନୀଲ ମିଶ୍ର, କବି ଶୁଭଶ୍ରୀ ଦାଶ, ସଞ୍ଜୟ କୁମାର ପଣ୍ଡା, ମଧୁସୂଦନ ମିଶ୍ର, ରାଜେଶ ଗିରି ଓ ଅଧ୍ୟାପକ ଡକ୍ଟର ପ୍ରଭାତ କୁମାର ସାହୁ।
ଏହି ଅବସରରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ଅତିଥି ଡକ୍ଟର ଦିଲ୍ଲୀପ କୁମାର ସ୍ଵାଇଁଙ୍କୁ ପ୍ରଶସ୍ତିପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ କବି ଶ୍ରୀଦେବ। ଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ କବି ଉତ୍ପଳ ମହାନ୍ତି।