ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ
1 min read
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ପୋକ୍ସୋ ଅଦାଲତ ଗୁରୁବାର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାଙ୍କୁ ୨୦ ବର୍ଷ କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି। ସେପ୍ଟେମ୍ବର ୨ରେ ଘଟିଥିବା ଏହି ଅପରାଧର ମାତ୍ର ୩୭ ଦିନ ମଧ୍ୟରେ ଅଦାଲତ ଶୁଣାଣି ଶେଷ କରି ରାୟ ଘୋଷଣା କରିଛି।
ମାମଲା ଅନୁସାରେ, ମୁନା ବେହେରା ଚନ୍ଦକା ଅଞ୍ଚଳରେ ଖୁଦୁରୁକୁଣି ପୂଜା ପାଇଁ ଯାଉଥିବା ୧୩ ବର୍ଷୀୟା ନାବାଳିକାଙ୍କୁ ଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ କମିଶନରେଟ ପୋଲିସ ମୁନାଙ୍କୁ ଗିରଫ କରିଥିଲା।
ଚନ୍ଦକା ଥାନା ଇନ୍ସପେକ୍ଟର ସମିତା ମିଶ୍ର ଓ ସବ୍-ଇନ୍ସପେକ୍ଟର ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ତଦନ୍ତ କରିଥିଲେ। ଅଦାଲତ ବିଏନଏସର ଧାରା ୬୫(୧) ଓ ପୋକ୍ସୋ ଆଇନର ଧାରା ୬ ଅନୁସାରେ ମୁନାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ସ୍ୱତନ୍ତ୍ର ସରକାରୀ ଓକିଲ ଶୁଭ୍ରତ ପ୍ରିୟଦର୍ଶୀଙ୍କ କହିବାନୁସାରେ, ୮ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସର ପ୍ରମାଣ ଆଧାରରେ ରାୟ ଦିଆଯାଇଛି। ଅଦାଲତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛି।