March 22, 2026

ଓଡ଼ିଶା ସାହିତ୍ଯ ଏକାଡେମୀ ଓ ନିଆଳି ମହାବିଦ୍ୟାଳୟର ମିଳିତ ଆନୁକୁଲ୍ଯରେ ଏକ ଦିବସୀୟ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ

1 min read

ନିଆଳି, ୧୯/୦୩: ସାହିତ୍ଯ ଓ ସଂସ୍କୃତିର ଗରିମା ହିଁ ଏକ ଭୂଖଣ୍ଡର ସମୃଦ୍ଧିର ପରିଚୟ। ଅନୁବାଦ ଜରିଆରେ ହିଁ ବିଶ୍ବର ବିଭିନ୍ନ ଭାଷାରେ ରଚିତ ଶ୍ରେଷ୍ଠ ସାହିତ୍ଯିକ କୃତି ଓ ଭିନ୍ନଭିନ୍ନ ସଂସ୍କୃତି ସହ ପାଠକ ପରିଚିତ ହୋଇପାରନ୍ତି।
ଓଡ଼ିଶା ସାହିତ୍ଯ ଏକାଡେମୀ ଓ ନିଆଳି ମହାବିଦ୍ୟାଳୟର ମିଳିତ ଆନୁକୁଲ୍ଯରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଗତ ୧୮ ତାରିଖରେ ଅନୁଷ୍ଠିତ ଏକ ଦିବସୀୟ କର୍ମଶାଳା ଓ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ଏପ୍ରକାର ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିନୋଦ ବିହାରୀ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ଡକ୍ଟର ବଂଶୀଧର ଷଡଙ୍ଗୀ ଉଦଘାଟନ କରିଥିବାବେଳେ ମୁଖ୍ଯ ବକ୍ତା ଭାବେ ଡକ୍ଟର ଶକୁନ୍ତଳା ବଳିଆରସିଂହ ଯୋଗ ଦେଇଥିଲେ। ମହାବିଦ୍ୟାଳୟର କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଏହି କାର୍ଯ୍ୟକ୍ରମର ଦୁଇଟି ବୈଷୟିକ ସମ୍ପାନରେ ‘ ଅନୁବାଦର ଭୂମିକା ଓ ପ୍ରତିବନ୍ଧକ ‘ ଓ ‘ ଅନୁବାଦ ଓ ଭାଷାର ଅସ୍ମିତା ‘ ଶୀର୍ଷକ ଆଲୋଚନାରେ ଓଡ଼ିଶାର ବିଶିଷ୍ଟ ଅନୁବାଦକମାନେ ନିଜର ମତ ରଖି ଅନୁବାଦର ବିଭିନ୍ନ କଳା କୌଶଳ ବିଷୟରେ ଛାତ୍ର ଛାତ୍ରୀମାନଙ୍କର ମାର୍ଗଦର୍ଶନ କରିଥିଲେ। ଡକ୍ଟର ମିହିର କୁମାର ସାହୁଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ପ୍ରଥମ ସମ୍ପାନରେ ପ୍ରଶାନ୍ତ କୁମାର ମହାନ୍ତି, ବଙ୍ଗାଳୀ ନନ୍ଦ, ଡକ୍ଟର ସୁଜାତା ଆଚାର୍ଯ୍ଯ ଓ ଡକ୍ଟର ସଙ୍ଘମିତ୍ରା ଭଞ୍ଜ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ସମ୍ପାନରେ ଆଲୋଚକଭାବେ ଯୋଗ ଦେଇଥିଲେ ଡକ୍ଟର ହିରଣ୍ମୟୀ ମିଶ୍ର, ଡକ୍ଟର ଚିରଶ୍ରୀ ଇନ୍ଦ୍ରସିଂ, ଲିଙ୍ଗରାଜ ମହାନ୍ତି, ଅଜିତ କୁମାର ପାତ୍ର ଓ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର। ସାହିତ୍ଯିକ ହରେକୃଷ୍ଣ ଦାସ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ସାହିତ୍ଯିକା ଈପ୍ସିତା ଷଡଙ୍ଗୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ମହାବିଦ୍ୟାଳୟ ତରଫରୁ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଓ ଡକ୍ଟର ଶ୍ରୀଧର ବାରିକ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ହିରଣ୍ୟ ବିଦାରକ ମହାପାତ୍ର ସହଯୋଗ କରିଥିଲେ। ଓଡ଼ିଶା ସାହିତ୍ଯ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ କାର୍ଯ୍ୟକ୍ରମଟିର ଆବାହକ ଭାବରେ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ରଶ୍ମୀରଞ୍ଜନ ଶତପଥୀ ସହଯୋଗ କରିଥିଲେ। ଅଧ୍ୟାପକ ଓ ଛାତ୍ର ଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏ ପ୍ରକାର କାର୍ଯ୍ୟକ୍ରମର ଅନେକ ଆବଶ୍ଯକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ଏବଂ ସଫଳ ଆୟୋଜନ ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।