June 14, 2026

ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

1 min read

ଥୁଆମୂଳ ରାମପୁର,୧୪ା୬: କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ବୁଥ୍‌ ଏଜେଣ୍ଟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି କପିଳାସ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଲାଞ୍ଜିଗଡ଼ ବିଧାୟକ ତଥା ବିଜେଡି ଜିଲା ସଭାପତି ପ୍ରଦୀପ କୁମାର ଦିଶାରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ବିଜେଡି ଉପସଭାପତି ଧର୍ମେନ୍ଦ୍ର ନାଏକ, ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ପାଦକ ସର୍ବଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନୀ ଓ ରାମଚନ୍ଦ୍ର ମାଝୀ ଯୋଗଦେଇ ଦଳୀୟ କାର୍ଯ୍ୟଧାରା ଓ ସଂଗଠନ ପରିଚାଳନା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ବୈଠକରେ ବ୍ଲକ ମହିଳା ସଭାନେତ୍ରୀ ଦୂତିକା ମାଝୀ, ଯୁବ ସଭାପତି ପ୍ରଦୀପ କୁମାର ନାଏକ, ବ୍ଲକ କାର୍ଯ୍ୟକାରୀ ସଭାପତି କୈଳାସ ପରିଛା ଓ ଫୋଟୋ ସିଂ ଭୋଇ, ଜିଲାପରିଷଦ ସଭ୍ୟା ଟୁନି ଖୋସଲା ଓ ପ୍ରମିଳା ମାଝୀ, ବରିଷ୍ଠ ନେତା ତ୍ରିଲୋଚନ ପାଣିଗ୍ରାହୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଯୋଶବନ୍ତି ନାଏକ ଏବଂ ଛାତ୍ର ବିଜେଡି ସଭାପତି ଦିନେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମାବେଶରେ ବ୍ଲକର ସମସ୍ତ ପଞ୍ଚାୟତ ସଭାପତି, ଯୁବ ସଭାପତି, ସରପଞ୍ଚ, ସମିତି ସଭ୍ୟ ଏବଂ ୭୨ଟି ବୁଥ୍‌ରୁ ଆସିଥିବା ଶତାଧିକ ବୁଥ ଏଜେଣ୍ଟ ସାମିଲ ହୋଇଥିଲେ। ଶିବିରରେ ଏଜେଣ୍ଟମାନଙ୍କୁ ଭୋଟ୍‌ ପରିଚାଳନା ଓ ଏସ୍‌ଆଇ୍‌ଆର୍‌ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଗାମୀ ନିର୍ବାଚନରେ ବୁଥ୍‌ସ୍ତରୀୟ ସଫଳତା ପାଇଁ ଦଳୀୟ କାର୍ଯ୍ୟପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବାକୁ ବରିଷ୍ଠ ନେତୃବୃନ୍ଦ ଆହୱାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୬୦ରୁ ଊର୍ଦ୍ଧ୍ୱ ଭାଜପା ଓ କଂଗ୍ରେସ ଦଳର ପ୍ରମୁଖ କର୍ମକର୍ତ୍ତା ଏବଂ ସ୍ଥାନୀୟ ଜନସାଧାରଣ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟ ଅତିଥି ବିଧାୟକ ଦିଶାରି ନୂତନ କର୍ମକର୍ତ୍ତାମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଧିବଦ୍ଧ ଭାବେ ଦଳକୁ ସ୍ବାଗତ କରିଥିଲେ। ଶେଷରେ ବ୍ଲକ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।