ଏକ ଚଳନ୍ତା କାର ଉପରେ ବିଶାଳ ପଥର ଖସି ପଡ଼ିଲା
1 min read
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର ଜିଲାର ନାଥପା ପଏଣ୍ଟରେ ଗତ ସପ୍ତାହରେ ଏକ ଚଳନ୍ତା କାର ଉପରେ ବିଶାଳ ପଥର ଖସି ପଡ଼ିଥିଲା, ଯାହାର ଭୟଙ୍କର ଦୃଶ୍ୟ କାରର ଡ୍ୟାସକ୍ୟାମରେ ରେକର୍ଡ ହୋଇଛି। ପଥରଟି ପାହାଡ଼ରୁ ଗଡ଼ି କାରର ଆଗ ଭାଗକୁ ଆଘାତ କରି ନିମ୍ନରେ ନଦୀକୁ ଖସିଥିଲା। କାରର ଆଗ ଭାଗ ବହୁତ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଯାତ୍ରୀମାନେ ଅଳ୍ପକେ ଅକ୍ଷତ ରହିଥିଲେ।
ଏହା ପୂର୍ବରୁ ବିଲାସପୁର ଜିଲାର ଝଣ୍ଡୁତା ଉପଖଣ୍ଡର ବାଲୁଘାଟରେ ଭୟଙ୍କର ବର୍ଷା ଯୋଗୁଁ ଏକ ଭୂସ୍ଖଳନରେ ଏକ ଯାତ୍ରୀବାହୀ ବସ୍ ଚାପି ହୋଇ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକ, ପୋଲିସ ଓ ବିପର୍ଯ୍ୟୟ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଏକ ଏକ୍ସକାଭେଟର ସାହାଯ୍ୟରେ ବସର ଛାତ ଖୋଲି ଉଦ୍ଧାର କାର୍ଯ୍ୟ କରିଥିଲେ।
ଅନ୍ୟ ଏକ ଘଟଣାରେ, କିନ୍ନୌରର ଚୌରାଠାରେ ଏକ ବଡ଼ ଭୂସ୍ଖଳନ ଜାତୀୟ ରାଜପଥ ୫ (NH-5)କୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲା, ଯାହା ଫଳରେ ଦୁଇପାଖରେ ଯାନବାହନର ଲମ୍ବା ଧାଡ଼ି ଲାଗି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।


