January 15, 2026

ଘରୋଇ ମେଡିକାଲରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର

1 min read

ଭୁବନେଶ୍ଵର :ଭୁବନେଶ୍ଵରର ଏ ଘରୋଇ ମେଡିକାଲରେ ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ମେଡିକାଲର ଲ୍ୟାବ ଟେକ୍ନିସିଆନ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏ ନେଇ ସେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଶେଷର ମହିଳା ଜଣକ ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଉକ୍ତ ଘରୋଇ ମେଡିକାଲଟି ମୈତ୍ରୀବିହାର ଥାନା ଅଞ୍ଚଳର। ପୀଡ଼ିତା ସେଠାରେ ଚାକିରି କରୁଥିଲେ। ଡାକ୍ତରଖାନାରେ କିଛି ଅନିୟମିତତା ହେଉଥିବା ନେଇ ସେ ଜାଣିବା ପରେ ଲ୍ୟାବ ଟେକ୍ନିସିଆନଙ୍କୁ ସେ ବିଷୟରେ ଜଣାଇଥିଲେ। ହେଲେ ଲ୍ୟାବ ଟେକ୍ନିସିଆନ ଏହା ଜାଣିବା ପରେ ଉକ୍ତ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିଲେ। ଏପରି କି ଏ ନେଇ ଥାନାକୁ ଗଲେ ଉଲଗ୍ନ କରି ଭିଡିଓ ଭାଇରାଲ କରିଦେବେ ବୋଲି ଲ୍ୟାବ ଟେକ୍ନିସିଆନ ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଲ୍ୟାବ ଟେକ୍ନିସିଆନଙ୍କ ବିରୋଧରେ ସେ ପ୍ରଥମେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ କର୍ତ୍ତୃପକ୍ଷ ଅଭିଯୁକ୍ତକୁ ସୁରକ୍ଷା ଦେଇଥିଲେ ଏବଂ ପୀଡ଼ିତାଙ୍କୁ ଚାକିରିରୁ ବାହାର କରି ମାନସିକ ନିର୍ଯାତନା ଦେଇଥିଲେ। ଯାହାଫଳରେ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି।