January 27, 2026

ଓଡ଼ିଶାରେ ରେରା ଆଇନ ପୂର୍ବରୁ ନିର୍ମିତ ସବୁ ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ କରିହେବ

1 min read

ଭୁବନେଶ୍ୱେର: ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ସବୁ ଆପାର୍ଟମେଣ୍ଟଗୁଡ଼ିକର ରେଜିଷ୍ଟ୍ରେସନ ହୋଇପାରିବ। ଶନିବାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସମ୍ପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।

ଓଡ଼ିଶାରେ ୨୦୨୩ ଜୁନ ମାସ ୨୮ ତାରିଖରୁ କାର୍ଯ୍ୟକାରୀ ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ। ଏହା ଅଧୀନରେ ଏବେ ରାଜ୍ୟରେ ସବୁ ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ହେଉଛି। ବର୍ତ୍ତମାନର ଅଧିନିୟମ ସତ୍ତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟଗୁଡ଼ିକ ୨୦୧୭ ଫେବୃଆରୀ ୨୫ ତାରିଖ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି, ସେହି ସବୁ ଆପାର୍ଟମେଣ୍ଟର ରେଜିଷ୍ଟ୍ରସନ ମଧ୍ୟ ଏହି ଆଇନ ଅଧୀନରେ ହେବ।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ପୂର୍ବରୁ ରାଜ୍ୟରେ ୨୦୧୭ ମସିହାରେ ରେରା (ରିୟଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆଇନ ଲାଗୁ ହୋଇଥିଲା। ତେବେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟଗୁଡ଼ିକର ରେଜିଷ୍ଟ୍ରେସନ ପାଇଁ ଲୋକ ଓ ବିଲ୍ଡରମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଉଭୟ ନିୟମର ପ୍ରବଧାନକୁ ନେଇ ରେଜିଷ୍ଟ୍ରେସନ ଅଧିକାରୀମାନଙ୍କୁ ନିଷ୍ପତ୍ତି ନେବାରେ ଅସୁବିଧା ହେଉଥିଲା।

ଆଗକୁ ସବୁ ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନକୁ ଠିକ୍ ଭାବେ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପରାମର୍ଶ ଦିଆଯାଇଛି।