September 11, 2026

ଧାନ କିଣା ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ

1 min read

ଭୁବନେଶ୍ବର : ମିଲରେ ଆଉ କଟଣି ଛଟଣିର ସମ୍ମୁଖୀନ ହେବେ ନାହିଁ ଚାଷୀ। ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ଧାନର ମାନ ଯାଞ୍ଚ ହେଉଥିଲା; କିନ୍ତୁ ଏବେ ଥରେ ମାତ୍ର ଯାଞ୍ଚ ହେବ। ସେହିପରି ଧାନ ବିକ୍ରି ବେଳେ ସିଲ୍‌ ହେବ ପଡୋଶୀ ରାଜ୍ୟସୀମା। ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ। ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଯାଞ୍ଚ କଡାକଡି ହେବ। ବଡ କଥା ହେଲା, ଜିଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା। ସେଥିପାଇଁ ଜିଲାପାଳଙ୍କୁ କ୍ଷମତା ଦିଆଯିବ। ଆଉ ରାଜ୍ୟ ସରକାର ପାଖକୁ ପଠାଇବେ ନାହିଁ, ବରଂ ଜିଲାସ୍ତରରେ ଏଥିପାଇଁ ନିଷ୍ପତ୍ତି ନେଇ ପାରିବେ ଜିଲାପାଳ। ବର୍ଷାରୁ ବର୍ତ୍ତିବାକୁ ମଣ୍ଡି ଗୁଡିକରେ ନିର୍ମାଣ
ହେବ ଗୋଦାମ। ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ। ମଣ୍ଡି ଗୁଡିକର ଆଧୁନୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର।

ଚଳିତ ବର୍ଷ ଧାନ କିଣା ପାଇଁ ଜିଲା ଦାୟିତ୍ୱରେ ମନ୍ତ୍ରୀମାନେ ରହିବେ । ପ୍ରତି ମଣ୍ଡିରେ ରହିବେ ଜଣେ ଅଧିକୃତ ଅଧିକାରୀ। କିଛି ମଣ୍ଡିକୁ ନେଇ ଗୋଟିଏ ଗୋଟିଏ ଜୋନ ଗଠନ ହେବ। ପ୍ରତି ଜୋନରେ ଜଣେ ସୁପରଭାଇଜର
ରହିବେ ଏବଂ ଇନପୁଟ ସବ୍‌ସିଡ ଆକାରରେ ୮୦୦ଟଙ୍କା ଅଧିକ ଦିଆଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାନ କ୍ରୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯାଉ ଥିବାରୁ ଚାଷୀଙ୍କ ଭିତରେ ଉତ୍ସାହ ରହିଛି, ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ ସେଥିପାଇଁ
ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପୁରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ଜିଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ
ଦେଇଛନ୍ତି।