November 10, 2026

ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ

1 min read

ଯାଜପୁର, ୦୯,୧୧, ୨୬:ଯାଜପୁର ଜିଲ୍ଲା ବରୀ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ତା ୦୯/୧୧/୨୦୨୬ ରିଖରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନଗେନ୍ଦ୍ରନାଥ ମହାପାତ୍ର, ଏସଡିପିଓ ପ୍ରଶାନ୍ତ କୁମାର ମାଝୀ, ବରୀ ବିଡିଓ ମିନତୀ ଜଗଦେବ ଏବଂ ବରୀ ତହସିଲଦାର ଦୀପ୍ତିମୟୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମନ୍ୱିତ ଶୁଣାଣି ଶିବିରରେ ମୋଟ ୯୨ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୭୨ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ, ୨ଟି ସାମୁହିକ/ସାଧାରଣ ସମସ୍ୟା ଏବଂ ୧୮ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF)ରୁ ସହାୟତା ପାଇଁ ନିବେଦନ ଆବେଦନ ପତ୍ର ରହିଥିଲା। ଗ୍ରହଣ କରାଯାଇଥିବା ଆବେଦନଗୁଡ଼ିକ ମଧ୍ୟରୁ ୨୦ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ତୁରନ୍ତ ସମାଧାନ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅବଶିଷ୍ଟ ଆବେଦନଗୁଡ଼ିକୁ ଶୀଘ୍ର ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅଭିନାଶ ସାଗର
ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ