ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକରେ ଶୋକ
1 min read
ଡେରାବିଶ,୩୦/୧୦(ଆ.ପ୍ର)-:ଡେରାବିଶ ବ୍ଲକ ହରିଅଙ୍କ ପଞ୍ଚାୟତ ମୁଣ୍ଡାଳୋ ଗ୍ରାମନିବାସୀ ତଥା ବିଶିଷ୍ଟ ଶିକ୍ଷାବିତ୍ ରତ୍ନାକର ନାୟକ (୮୪) ଙ୍କ ପରଲୋକରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହୋଇଆସୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ସ୍ବର୍ଗତ ରତ୍ନାକର ଡେରାବିଶ ହାଇସ୍କୁଲରୁ ଅବସର ନେବା ପରେ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ପ୍ରୟାସ ଜାରି ରଖିଥିଲେ। ତାଙ୍କ ଉଦ୍ୟମରେ ମୁଣ୍ଡାଳୋ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ, ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟ, ରାମଚଣ୍ଡୀ ବିଦ୍ୟାଳୟ ଓ ଶ୍ରୀ ମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ରଘୁନାଥଜୀୟୁ ମନ୍ଦିର ଟ୍ରଷ୍ଟର ସଭାପତି ଭାବେ କାର୍ଯ୍ୟରତ ଥାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସମାଜସେବୀ ସୁଖଦାନନ୍ଦ ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ବର ପରିଡ଼ା,ସରପଞ୍ଚ କନକଲତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ପ୍ରାକ୍ତନ ସରପଞ୍ଚ ଯୁଗଳ କିଶୋର ମହାନ୍ତି ଓ ଶିକ୍ଷାବିତ ବେଣୁଧର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ଶବାଧାରକୁ ଏକ ଶୋଭାଯାତ୍ରାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ବିଭିନ୍ନ ପ୍ରତିଷ୍ଠାନ ସମେତ ବିଭିନ୍ନ ଗ୍ରାମ ପରିକ୍ରମା ପରେ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ଦିଲ୍ଲୀପ ମୁଖାଗ୍ନି ଦେଇଥିଲେ।ମୃତ୍ୟୁଶଯ୍ୟା ନିକଟରେ ବନ୍ଧୁ ପରିଜନ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।


