ଜାତୀୟ ସଂହତି ଓ ରାଷ୍ଟ୍ରୀୟ ଏକତା ଦିବସର ମହତ୍ତ୍ବ
1 min readପ୍ରତିବର୍ଷ ଅକ୍ଟୋବର ୩୧ ରେ, ଆମ ଦେଶ ଭାରତ ରାଷ୍ଟ୍ରୀୟ ଏକତା ଦିବସ (Rashtriya Ekta Diwas) ପାଳନ କରିଥାଏ, ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଅଟେ। ଏହି ମହାନ ନେତାଙ୍କ ଦୂରଦୃଷ୍ଟି ଓ ଦୃଢ ସଂକଳ୍ପ ଏକୀକୃତ ଭାରତର ପାଇଁ ଭିତ୍ତି ପ୍ରଦାନ କରିଥିଲା । “Iron Man of India” (ଭାରତର ଲୌହ ପୁରୁଷ) ଭାବେ ପରିଚିତ, ପଟେଲଙ୍କ ବଳିଷ୍ଠ ନେତୃତ୍ୱ ଦ୍ୱାରା ୫୬୦ରୁ ଅଧିକ ରିୟାସତ ରାଜ୍ୟ (Princely States) ଭାରତରେ ସମ୍ମିଳିତ ହେଲେ ଏବଂ ଆମଦେଶ ଏକ ସ୍ଵାଧୀନ ଓ ଏକତା ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେଲା । ତେଣୁ ରାଷ୍ଟ୍ରୀୟ ଏକତା ଦିବସ କେବଳ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ଏହା ଭାରତର “ବିଭିଧତାରେ ଏକତା” ର ସଂକଳ୍ପର ପୁନରୁଚ୍ଚାରଣ ଅଟେ।
୧୯୪୭ ମସିହାରେ ଭାରତ ସ୍ଵାଧୀନ ହେବାବେଳେ ଦେଶରେ ୫୬୦ରୁ ଅଧିକ ରିୟାସତ ରାଜ୍ୟ ଥିଲେ ଓ ପ୍ରତ୍ୟେକର ନିଜସ୍ଵ ଶାସନ ବ୍ୟବସ୍ଥା ଥିଲା। ସର୍ଦ୍ଦାର ପଟେଲ ସେହି ସମସ୍ତ ରାଜ୍ୟ ଗୁଡ଼ିକୁ ଭାରତୀୟ ସଂଘରେ ଏକତାବଦ୍ଧ କରିବାର ଏକ ଅତ୍ଯନ୍ତ କଷ୍ଟକର କାର୍ଯ୍ୟ ହାତକୁ ନେଇଥିଲେ। ନିର୍ଭୀକ ନେତୃତ୍ୱ ଓ ଦୃଢ ସଂକଳ୍ପ ଦ୍ୱାରା ସେ ଏହି କାର୍ଯ୍ୟରେ ସଫଳ ହୋଇ ଥିଲେ। ସେ ହାଇଦ୍ରାବାଦ, ଜୁନାଗଡ଼ ଓ ଜମ୍ମ-କାଶ୍ମୀର ପରି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଭାରତରେ ଏକତ୍ରିତ କରି ଭାରତର ଭୂଭାଗୀୟ ଅଖଣ୍ଡତା ସୁନିଶ୍ଚିତ କରିଥିଲେ। ସେ କହିଥିଲେ —“Manpower without unity is not a strength unless it is harmonized and united properly, then it becomes a spiritual power.” ଅର୍ଥାତ୍ ଏକତା ବିନା ମାନବ ଶକ୍ତି କୌଣସି ଶକ୍ତି ନୁହେଁ; ଏକତା ହେଲେ ତାହା ଆଧ୍ୟାତ୍ମିକ ଶକ୍ତିରେ ପରିଣତ ହୁଏ।
ସର୍ଦ୍ଦାର ପଟେଲଙ୍କ ଅବଦାନ ଓ ସ୍ମତିକୁ ଉଦ୍ଜୀବିତ ରଖିବା ପାଇଁ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନରେ ୨୦୧୪ ମସିହାରୁ ଭାରତ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ପଟେଲଙ୍କ “ଏକ ଭାରତ, ଶ୍ରେଷ୍ଠ ଭାରତ (Ek Bharat, Shreshtha Bharat)” ଦୃଷ୍ଟିକୋଣକୁ ସ୍ମରଣ କରି ତାହାର ପାଳନ କରିବା। ଏହି ଦିନ, ସମଗ୍ର ଦେଶରେ “Run for Unity”, ସାଂସ୍କୃତିକ କାର୍ଯ୍ୟକ୍ରମ, ରାଷ୍ଟ୍ରୀୟ ପ୍ରତିଜ୍ଞା ଆଦି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥାଏ । ମୁଖ୍ୟ ଆୟୋଜନ ଗୁଡିକ ଗୁଜରାଟ ସ୍ଥିତ 182 ମିଟର ଉଚ୍ଚ ଓ ସର୍ଦ୍ଦାର ପଟେଲଙ୍କ ସ୍ମତିରେ ନିର୍ମିତ Statue of Unity (ଏକତା ମୂର୍ତ୍ତି) ଠାରେ ଅନୁଷ୍ଠିତ ହୁଏ । ଏହା ଭାରତର ଶକ୍ତି, ସାହସ ଓ ଏକୀକୃତ ଆତ୍ମାର ପ୍ରତୀକ।
ସର୍ଦ୍ଦାର ପଟେଲଙ୍କ ରାଜନୈତିକ ବୁଦ୍ଧିମତା ଓ ଦୂରଦୃଷ୍ଟି ଆଜି ମଧ୍ୟ ସମାନ ଗୁରୁତ୍ୱ ବହନ କରେ। ସେ କହିଥିଲେ —“Take to the path of Dharma—the path of truth and justice—for that is the correct path for all.” ଅର୍ଥାତ୍ “ସତ୍ୟ ଓ ନ୍ୟାୟର ପଥକୁ ଅନୁସରଣ କର, କାରଣ ସେହିପଥ ସମସ୍ତଙ୍କ ପାଇଁ ଉଚିତ ପଥ।“ ରାଷ୍ଟୀୟ ଏକତା ଦିବସ ଆମକୁ ସାମ୍ପ୍ରଦାୟିକ ସହିଷ୍ଣତା, ସାମାଜିକ ସମ୍ମାନ ଓ ଏକତା ଭଳି ମୂଲ୍ୟବୋଧ ଗୁଡ଼ିକୁ ସ୍ମରଣ କରାଇଥାଏ।
ବର୍ତ୍ତମାନ ଆମଦେଶ ଭାରତ ଯେପରି ଆଞ୍ଚଳିକ ବୈଷମ, ସାମାଜିକ ଭେଦଭାବ ଓ ବିଚାରଧାରାର ଦ୍ୱନ୍ଦ୍ୱର ଭଳି ଆହ୍ୱାନ ଗୁଡିକର ସାମ୍ନା କରୁଛି ତାହାପାଇଁ ରାଷ୍ଟ୍ରୀୟ ଏକତା ଦିବସର ଆବଶ୍ୟକତା ଅଧିକ ହୋଇପଡ଼ିଛି।
ପ୍ରତିବର୍ଷ ପାଳନ ହେଉଥିବା ଏହି ଉତ୍ସବ ଏକ ଜାଗରଣ ସନ୍ଦେଶ ଦେଇଥାଏ ତାହା ହେଲା ଭାରତ ବିଶାଳ ଓ ବିଭିଧ ହୋଇଥିଲେ ମଧ୍ୟ ଏହାର ଆତ୍ମା ହେଉଛି ଏକ। ପଟେଲଙ୍କ ଶବ୍ଦରେ —“My only desire is that India should be a good producer and no one should be hungry, shedding tears for food in the country.” ଅର୍ଥାତ୍ “ମୋର ଏକମାତ୍ର ଆଶା ହେଉଛି ଭାରତ ଉତ୍ପାଦନଶୀଳ ହେଉ, ଯେପରି ଏହି ଦେଶରେ ଖାଦ୍ୟ ପାଇଁ କାହାରି ଲୁହ ନ ବହୁ ।“
ରାଷ୍ଟ୍ରୀୟ ଏକତା ଦିବସ କେବଳ ସ୍ମତିର ଦିନ ନୁହେଁ — ଏହା ଏକତାର ଶକ୍ତିର ସ୍ମରଣ ଅଟେ। ଏହା ଭାରତୀୟ ସଂବିଧାନର ମୂଲ୍ୟବୋଧ, ଧର୍ମନିରପେକ୍ଷତା ଓ ଏକତାର ଆତ୍ମାକୁ ପ୍ରତିଫଳିତ କରେ।
ସର୍ଦ୍ଦାର ପଟେଲଙ୍କ ଉଚ୍ଚାରିତ ଶବ୍ଦ ଆଜି ମଧ୍ୟ ପ୍ରାସଙ୍ଗିକ ତାହା ହେଲା “Work is worship, and labor is divine, and the man who works hard in the right spirit is always at peace and is happy.” ଅର୍ଥାତ୍ “କାମ ହେଉଛି ପୂଜା, ଶ୍ରମ ହେଉଛି ଦେବତା, ଯିଏ ନିଜ କାମକୁ ନିଷ୍ଠାର ସହିତ କରେ ସେ ସଦା ଶାନ୍ତି ଓ ସୁଖୀ ହୁଏ।“
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମତି ଭାରତର ଆତ୍ମାରେ ଜୀବନ୍ତ – ପ୍ରତିବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଏହି ଆତ୍ମାକୁ ପୁନର୍ଜୀବିତ କରେ ଓ ନିଶ୍ଚିତ କରେ ଯେ ଭାରତ ସର୍ବଦା ଏକତାର ସୂତ୍ରରେ ବାନ୍ଧି ହୋଇ ରହି ଏକ ସଶକ୍ତ ଓ ସମୃଦ୍ଧିଶାଳୀ ରାଷ୍ଟ୍ର ହୋଇ ରହିବ।
ହାଦିଆ ପରବିନ୍
ଇସଲାମିକ୍ ସ୍କଲାର


