October 28, 2026

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି

1 min read

ଛତ୍ରପୁର,୨୮ା୧୦: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିବା ବେଳେ ଲୋକେ ଘରୁ ବାହାରିବାକୁ ମଧ୍ୟ ଅସୁବିଧା ଭୋଗୁଛନ୍ତି।

ପବନ ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ଗାଁ ନିକଟ ଜାତୀୟ ରାଜପଥରେ ବହୁ ଗଛ ଭାଙ୍ଗି ପଡ଼ିଛି। କେତେକ ସ୍ଥାନରେ ଗଛ ରାସ୍ତା ଉପରେ ପଡ଼ିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଘର ସମ୍ମୁଖରେ ଗଛ ଭାଙ୍ଗି ପଡ଼ିଛି। ସେହିପରି ବ୍ୟାଙ୍କ କଲୋନୀ, ନ୍ୟୁ ପୋଲିସ ଲାଇନ୍‌ ସମେତ ସହରର ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ କାଟି ରାସ୍ତା ସଫା କରୁଛନ୍ତି। ଫଳରେ ଧିରେ ଧିରେ ଯାତାୟାତ ସ୍ବାଭାବିକ ହେଉଛି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଚାଷଜମିରେ ଧାନ ପାଚିବା ସହ କେତେକ ସ୍ଥାନରେ ଧାନ ପୁଡ଼ା ଧରୁଥିବା ବେଳେ ବର୍ଷା ଓ ପବନ ଯୋଗୁ ଧାନଫସଲରେ ବ୍ୟାପକ କ୍ଷତି ହେବା ଆଶଙ୍କା ରହିଛି। ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ କହିବା ଅନୁଯାୟୀ, ଏହି ସମୟରେ ଲଗାଣ ବର୍ଷା ଓ ପବନ ଯୋଗୁ ଧାନଫସଲ ନିଶ୍ଚିତ ଭାବେ କ୍ଷତିଗ୍ରସ୍ତ ହେବ।

ସେହିପରି ଗତ ମାସରେ ଲଘୁଚାପ ଜନିତ ବର୍ଷା ଯୋଗୁ ପନିପରିବା ଚାଷୀମାନେ କ୍ଷତି ସହିଥିବା ବେଳେ ଚଳିତ ବର୍ଷା ଓ ପବନ ପୁଣିଥରେ ପନିପରିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେଉଥିବା ଆଲୋଚନା ହେଉଛି।

ଏପଟେ ବାତ୍ୟା ମୁକାବିଲା ପାଇଁ ଛତ୍ରପୁର ବ୍ଲକ ଓ ପୌରପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି।