ଶାଳିଜଙ୍ଗା ମା’ ମହାଲକ୍ଷ୍ମୀଙ୍କ ପୀଠରେ ଧୁମଧାମରେ ଲକ୍ଷ୍ମୀପୂଜା ଅନୁଷ୍ଠିତ: ଝିଅମାନେ ପାଳିଲେ କୁମାର ପୂର୍ଣ୍ଣିମା, ଭକ୍ତିମୟ ସମଗ୍ର ଅଞ୍ଚଳ
1 min read
କଳିଙ୍ଗନଗର(ନି.ପ୍ର): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗାସ୍ଥିତ ମା’ ମହାଲକ୍ଷ୍ମୀଙ୍କ ପୀଠରେ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ପ୍ରାତଃରୁ କଳସ ଶୋଭାଯାତ୍ରା ସହ ବୈଦିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ଯଥାବିଧି ସମ୍ପନ୍ନ ହୋଇଥିଲା। ଏହି ଅବସରରେ କୁମାରୀ କନ୍ୟା ତଥା ଝିଅମାନଙ୍କ ଦ୍ୱାରା ପାରମ୍ପରିକ ରୀତିରେ କୁମାର ପୂର୍ଣ୍ଣିମା ଉତ୍ସବ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି।
ମନ୍ଦିରର ମୁଖ୍ୟ ପୂଜକ ସତ୍ୟନାରାୟଣ ମିଶ୍ର, ଶ୍ୟାମ ସୁନ୍ଦର ମିଶ୍ର ଏବଂ ବେଣୁଧର କର ନିଷ୍ଠାର ସହ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି। ପୂଜା ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସନ୍ଧ୍ୟା ସମୟରେ ଘଣ୍ଟ, ଘଣ୍ଟା, ଶଙ୍ଖର ମଙ୍ଗଳ ଧ୍ୱନି ଏବଂ ଝୁଣାର ସୁବାସରେ ସମଗ୍ର ପୀଠ ଏକ ଅପୂର୍ବ ଦିବ୍ୟ ପରିବେଶରେ ଭରି ଉଠୁଛି। ଧୂପ-ଦୀପର ଆଲୋକରେ ଝଲସୁଥିବା ମାଆଙ୍କ ଦିବ୍ୟ ଶ୍ରୀମୁଖ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତିର ଅଲୌକିକ ଦୃଶ୍ୟ ଶ୍ରଦ୍ଧାଳୁଙ୍କ ମନକୁ ପ୍ରଶାନ୍ତ କରିଦେଉଛି। ମାଆଙ୍କ ଚରଣ ତଳେ ଭକ୍ତମାନେ ପ୍ରଣାମ ଜଣାଇ ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ସେହିପରି ଦାନଗଦି ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। କୁମାର ପୂର୍ଣ୍ଣିମା ଓ ମହାଲକ୍ଷ୍ମୀ ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଏବେ ଏକ ଆଧ୍ୟାତ୍ମିକ ତଥା ଆନନ୍ଦମୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।


