୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଜବତ, ନାବାଳକ ଚାଳକ ଗିରଫ
1 min read
ଦଶପଲ୍ଲା: କନ୍ଧମାଳରୁ କଟକଗଞ୍ଜେଇ ଚାଲାଣ ସମୟରେ ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ମାରୁତି ଡ଼ିଜାର କାର ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା। ଏହାପରେ ଥାନା ଅଧିକାରୀ ରଙ୍ଗ ମାଟିଆ ଟୋଲଗେଟ ଠାରେ କାରକୁ କାବୁ କରି ଚାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଗିରଫ ଗାଡି ଚାଳକ (ବୟସ ୧୭ବର୍ଷ) ଜଣଙ୍କ ହେଉଛନ୍ତି ଜଣେ ନାବାଳକ। ତାଙ୍କ ଘର କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନସ୍ଥ କରଣ୍ଡାଗଡ଼ ଗ୍ରାମରେ।
ସୂଚନାଯୋଗ୍ୟ, ଚାଲାଣ ଘଟଣାରେ ସମ୍ପୃକ୍ତ ନାବାଳକ କାର ଚାଳକ ଜଣକ ( ଓଡ଼ି ୦୨ ସିଏମ ୩୪୦୫) କାର ଯୋଗେ ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ନେଉଥିଲେ। ବିଶେଷସୂତ୍ରରୁ ଖବରପାଇ ଥାନା ଅଧିକାରୀ ପରିଡା ତାଙ୍କୁ ଧରିବାକୁ ଜାଲ ବିଛାଇ ଥିଲେ। ଟୋଲ ଗେଟ ଠାରେ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଥିବା ଜଣା ପଡିଥିଲା। ଶେଷରେ ଏହାକୁ କାବୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଯାହାକି ସମୁଦାୟ ଗଞ୍ଜେଇର ଓଜନ ୧ କ୍ୱିଣ୍ଟାଲ ୪ ଶହ ଗ୍ରାମ ହୋଇଥିଲା। ବଡ଼କଥା ହେଉଛି ଗଞ୍ଜେଇ ମାଫିଆ ମାନେ ଏଭଳି ବଡ଼ ବଡ଼ ମାମଲାରୁ ଖସିବା ପାଇଁ ନାବାଳକ ଚାଳକଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ କରୁଥିବା କୁହାଯାଇଛି। ଏହି ମାମଲାକୁ ନେଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପରିଡା କହିଛନ୍ତି।


