ବାଂଲାଦେଶରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ
1 min read
ଢାକା: ବାଂଲାଦେଶର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କକ୍ସ ବଜାର ଜିଲ୍ଲାସ୍ଥିତ ଏକ ସମୁଦ୍ରକୂଳ ରିସୋର୍ଟରେ ଶନିବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବାଉଁଶ ଏବଂ କାଠରେ ନିର୍ମିତ ତିନିମହଲା ବିଶିଷ୍ଟ ଏହି ରିସୋର୍ଟଟି ଅଗ୍ନିକାଣ୍ଡ ଯୋଗୁଁ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।
ସୂଚନା ଅନୁଯାୟୀ, ମେରାଇନ୍ ଡ୍ରାଇଭ୍ ନିକଟସ୍ଥ ପାଟୁଆରଟେକ୍ ବେଳାଭୂମି ପାଖରେ ଥିବା ‘ଟୁପ୍ଟୁପ୍ ରେଷ୍ଟୋ ଆଣ୍ଡ ରିସୋର୍ଟ’ରେ ସକାଳ ପ୍ରାୟ ୬ଟା ୩୦ ମିନିଟରେ ଏହି ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ସମୟରେ ରିସୋର୍ଟରେ ପ୍ରାୟ ୩୦ ଜଣ ପର୍ଯ୍ୟଟକ ଓ କର୍ମଚାରୀ ଥିଲେ। କେବଳ ୪ ରୁ ୫ ଜଣ ସୁରକ୍ଷିତ ଭାବେ ବାହାରିବାକୁ ସକ୍ଷମ ହୋଇଥିଲେ। କକ୍ସ ବଜାର ଡେପୁଟି କମିସନର ଏ. ମନ୍ନାନ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଉଛି ଏବଂ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ସେମାନଙ୍କର ଡିଏନଏ ନମୁନା ସଂଗ୍ରହ କରାଯାଉଛି। ଆହତମାନଙ୍କୁ କକ୍ସ ବଜାର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରେ ଅନେକଙ୍କ ଶରୀର ଗୁରୁତର ଭାବେ ପୋଡ଼ିଯାଇଥିବା ଚିକିତ୍ସାଧୀନ ଡାକ୍ତର ସୂଚନା ଦେଇଛନ୍ତି।


