October 3, 2026

ସ୍ୱତନ୍ତ୍ର ସଘନ ସଂଶୋଧନ

1 min read

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) ଶେଷ ହେବା ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ନାମ ପଞ୍ଜୀକରଣ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଇସିଆଇ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲାନିର୍ବାଚନ ଅଧିକାରୀ (ଡିଇଓ) ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଏହି ଅଭିଯାନ ମାଧ୍ୟମରେ ଏସ୍‌ଆଇଆର୍ ପୂର୍ବରୁ ଭୋଟର ତାଲିକାରେ ନାମ ଥାଇ ବର୍ତ୍ତମାନର ତାଲିକାରୁ ବାଦ୍‌ ପଡ଼ିଥିବା ବ୍ୟକ୍ତିଙ୍କ ସମେତ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟର, ଯେଉଁମାନେ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ ସାମିଲ କରାଯିବ। ଅକ୍ଟୋବର ୧ ତାରିଖରେ ସମସ୍ତ ସିଇଓଙ୍କ ସହ ଆୟୋଗଙ୍କ ବୈଠକ ପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଭୋଟର ନାମ ପଞ୍ଜୀକରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ କେବଳ ଏସ୍‌ଆଇଆର୍ ଗଣନା ସମୟରେ ସାମିଲ ହୋଇନାହାନ୍ତି ବୋଲି କୌଣସି ଯୋଗ୍ୟ ନାଗରିକଙ୍କୁ ପଞ୍ଜୀକରଣ ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଇସିଆଇ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ବର୍ତ୍ତମାନର ଭୋଟର ତାଲିକାକୁ ଏସ୍‌ଆଇଆର୍‌ ପୂର୍ବର ତାଲିକା ସହ ତୁଳନା କରିବେ ଏବଂ ତାଲିକାରୁ ବାଦ୍‌ ଦିଆଯାଇଥିବା ଭୋଟରଙ୍କ ବୁଥ୍‌ୱାରୀ ତାଲିକା ପ୍ରସ୍ତୁତ କରିବେ। ଏହାପରେ ସେମାନେ ଘରକୁ ଘର ବୁଲି ଯାଞ୍ଚ କରି ଏହି ଭୋଟରଙ୍କ ବର୍ତ୍ତମାନର ସ୍ଥିତି ନିଶ୍ଚିତ କରିବେ ଏବଂ ଯୋଗ୍ୟ ବିବେଚିତ ହେଲେ ଫର୍ମ-୬ ଜରିଆରେ ସେମାନଙ୍କ ନାମ ପଞ୍ଜୀକରଣ କରାଇବେ।