ୟୁକ୍ରେନ୍ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍ଟେନ୍ଙ୍କ ମୃତ୍ୟୁ ହୋଇଛି
1 min read
କିଭ୍: ୟୁକ୍ରେନ୍ର ଦକ୍ଷିଣ ଓଡ଼େସା ଅଞ୍ଚଳରେ ବୁଧବାର ରୁଷ୍ର ଆକ୍ରମଣରେ ଏକ ବାଣିଜ୍ୟିକ ମାଲବାହୀ ଜାହାଜର କ୍ୟାପ୍ଟେନ୍ଙ୍କ ମୃତ୍ୟୁ ହୋଇଛି। ଜାହାଜଟି ଆଣ୍ଟିଗୁଆ ଓ ବାର୍ବୁଡାର ପତାକା ତଳେ କୃଷ୍ଣ ସାଗରରେ ଯାଉଥିବା ବେଳେ ଏହା ଉପରେ ରୁଷ୍ ସେନା ଆକ୍ରମଣ କରିଥିଲା ବୋଲି ୟୁକ୍ରେନ୍ର ଅଧିକାରୀମାନେ କହିଛନ୍ତି। କ୍ୟାପ୍ଟେନ୍ ଜଣେ ୟୁକ୍ରେନୀୟ ନାଗରିକ ବୋଲି ଓଡ଼େସା ଅଞ୍ଚଳର ମୁଖ୍ୟ ଓଲେଗ୍ କିପର କହିଛନ୍ତି।
ୟୁକ୍ରେନ୍ ସି ପୋର୍ଟସ୍ ଅଥରିଟି ଅନୁସାରେ, ବୁଧବାର ରାତିରେ ଜାହାଜଟି ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଜାହାଜରେ ନିଆଁ ଲାଗିଯାଇଥିଲା। ଏଥିରେ କ୍ୟାପ୍ଟେନ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ଜାହାଜର ଅନ୍ୟ କର୍ମଚାରୀମାନଙ୍କୁ ୟୁକ୍ରେନ୍ ନୌସେନା ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ପରେ ଜାହାଜରେ ଲାଗିଥିବା ନିଆଁକୁ ମଧ୍ୟ ଲିଭାଇ ଦିଆଯାଇଛି।
ଏହି ଆକ୍ରମଣରେ କେବଳ ଜାହାଜ ନୁହେଁ, ଓଡ଼େସା ଅଞ୍ଚଳର ବନ୍ଦର ଓ ବେସାମରିକ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହୋଇଛି। ଓଲେଗ୍ କିପରଙ୍କ ସୂଚନା ଅନୁସାରେ, ଔଷଧ, ଘରୋଇ ସାମଗ୍ରୀ ଓ ଖାଦ୍ୟ ଗୋଦାମଗୁଡ଼ିକ ଉପରେ ମଧ୍ୟ ଦୁଇଥର ଆକ୍ରମଣ ହୋଇଥିଲା। ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବଢ଼ିଥିବା କୁହାଯାଉଛି। ବେସାମରିକ ଜାହାଜ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ତୁର୍କୀ ରୁଷ୍ ଓ ୟୁକ୍ରେନ୍କୁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ଏ ନେଇ ଦୁଇ ଦେଶ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ।


