September 20, 2026

ଚୌଦ୍ୱାର ଜେଲ୍‌ରୁ ୨ ବିହାରୀ କଏଦୀ ଚମ୍ପଟ ଘଟଣା

1 min read

କଟକ: ଚୌଦ୍ୱାର ଜେଲ୍‌ରୁ ୨ ବିହାରୀ କଏଦୀ ଚମ୍ପଟ ଘଟଣାରେ ବିବାଦୀୟ ହୋଇପଡିଥିବା ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ରବିବାର ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି । ପୂର୍ବରୁ ହାଇକୋର୍ଟରେ ତାଙ୍କ ଆଗୁଆ ଜାମିନ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ଗିରଫ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଅଗ୍‌ଟୋବର ୨ ତାରିଖରେ ଚୌଦ୍ୱାର ଜେଲ୍‌ର କଡ଼ା ସୁରକ୍ଷା ବଳୟ ମଧ୍ୟରୁ ୨ ଜଣ ବିହାରୀ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଏହି ଘଟଣା ସେତେବେଳେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଜେଲର କଡା ସୁରକ୍ଷା ବଳୟ ମଧ୍ୟୁ କଏଦୀ କିଭଳି ଚମ୍ପଟ ମାରିଲେ, ସେନେଇ ବିଭାଗୀୟ ଅଧିକାରୀମାନଙ୍କ ଉପରେ ପ୍ରଶ୍ନ ଉଠିଥିଲା । ଏ ନେଇ ପୂର୍ବତନ ଜେଲର ସନ୍ତୋଷିନୀ ଦାସ ଥାନାରେ ଅଭିଯୋଗ କରିବା ସହ ତତ୍କାଳୀନ ଅଧ୍ୟକ୍ଷ ଶ୍ରୀ ରାଉଳଙ୍କ ନାମ ଏଥିରେ ଉଲ୍ଲେଖ କରିଥିଲେ । ଶ୍ରୀ ରାଉଳ କର୍ତବ୍ୟରେ ଅବହେଳା କରିଥିବା ଓ ତାଙ୍କ ଦସ୍ତଖତକୁ ଜାଲିଆତି କରାଯାଇଥିବା ନେଇ ଶ୍ରୀମତୀ ଦାସ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଗିରଫଦାରୀରୁ ବଂଚିବା ପାଇଁ ଶ୍ରୀ ରାଉଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଯାହା ଗତ ୧ ତାରିଖରେ ମାନ୍ୟବର କୋର୍ଟ ଖାରାଜ କରିଦେଇଥିଲେ ।