September 14, 2026

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

1 min read

କୋଲକାତା: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଅନ୍ୟ ୧୦୦ଟି ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ବନ୍ଦ ହେବାକୁ ଯାଉଥିବା ମଦ୍ରାସାଗୁଡ଼ିକ ମଧ୍ୟରୁ ଅଧିକାଂଶ ଖାରିଜି ସମ୍ପ୍ରଦାୟର। ସେଗୁଡ଼ିକ ମଧ୍ୟରୁ ୪୪ଟି ମାଲଦାରେ ଥିବାବେଳେ ଉତ୍ତର ଦିନାଜପୁରରେ ୩୭, ଦକ୍ଷିଣ ୨୪ ପ୍ରଗଣାରେ ୩୨ ଏବଂ ନଦିଆ ଓ ମୁର୍ଶିଦାବାଦ ଜିଲାରେ ୨୫ଟି ଲେଖାଏ ରହିଛି। ଯେଉଁ ମଦ୍ରାସାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି, ସେମାନେ ବୈଧ ଅନୁମତି ପତ୍ର ଦେଖାଇ ନ ପାରିଲେ ବନ୍ଦ ହେବେ ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଖୁଦିରାମ ଟୁଡୁ କହିଛନ୍ତି।

ସ୍ବୀକୃତିପ୍ରାପ୍ତ ଓ ଅଣସ୍ବୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକର ସଂଖ୍ୟା ନିର୍ଦ୍ଧାରଣ କରିବା ଲାଗି ରାଜ୍ୟବ୍ୟାପୀ ସର୍ଭେ କରିବାକୁ ଗତ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ପକ୍ଷରୁ କୋଲକାତା ଓ ୨୨ଟି ଜିଲାରେ ମଦ୍ରାସା ପରିଚାଳନା ବ୍ୟବସ୍ଥା, ଛାତ୍ର ସଂଗଠନ ପଞ୍ଜୀକରଣ, ପାଣ୍ଠିର ଉତ୍ସ ଏବଂ ପଞ୍ଜୀକରଣ ସ୍ଥିତିର ସର୍ଭେ କରାଯାଇଥିଲା। ଏହାକୁ ଆଧାର କରି ପ୍ରଥମ ପର୍ଯ୍ୟାୟରେ ୨୫୨ ମଦ୍ରାସାକୁ ବନ୍ଦ ଲାଗି ନିର୍ଦ୍ଦେଶନାମା ଜାରି ହୋଇଛି।