ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ପଣସନସାର ଲୋକେ ମାଳମାଳ ଯୋଜନାରୁ ବଞ୍ଚିତ
1 min read
କେନ୍ଦୁଝର: ପାହାଡ଼ ଚଢ଼ିଲେ ପଣସନସା। ବାଂଶପାଳ ବ୍ଲକର କୁଅଁାର ପଞ୍ଚାୟତରେ ଏହି ଗଁ।। କାଞ୍ଜିପାଣି ଘାଟିରୁ କପ୍ତାଟଙ୍ଗୁରା ପାହାଡ଼, ତା’ପରେ ମହାବୀରା, ପୁଣି ସିଂହ ପର୍ବତ। ପାହାଡ଼ ପରେ ପାହାଡ଼ ଅତିକ୍ରମ କଲେ ପଡ଼େ ଜୁଆଙ୍ଗଙ୍କ ପଲ୍ଲୀ ପଣସନସା (ଉପର)। ଏଠାରେ ପ୍ରାୟ ୪୫ଟି ପରିବାର। ସକାଳ ସୂର୍ଯ୍ୟ ଉଇଁଲେ ପଣସନସାରେ ଜୀବନ ଚଳଚଞ୍ଚଳ ହୋଇଯାଏ। ଜୁଆଙ୍ଗ ପରିବାର ରହୁଥିବା ଏହି ଗାଁରେ କିନ୍ତୁ ବିକାଶ ବାଟବଣା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ଜନହିତକର ଯୋଜନା ରହିଛି; କିିନ୍ତୁ ପଣସନସାକୁ ସେଗୁଡ଼ିକ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଏବେ ବି ଜୁଆଙ୍ଗ ପରିବାର ଜଙ୍ଗଲ ଉପରେ ନିର୍ଭରଶୀଳ। ନା ସେମାନେ ଦେଖିଛନ୍ତି ଶୌଚାଳୟ, ନା ତାଙ୍କର ଅଛି ଆବାସ। ଚାଳ ଛପର ଘର ଏବେ ବି ଭରସା; କିନ୍ତୁ ପରିତାପର ବିଷୟ ଯେ ସରକାରୀ ନଥିରେ ରହିଯାଇଛି ମାଳମାଳ ଯୋଜନା। ଜୁଆଙ୍ଗ ପାହାଡ଼ ଚଢ଼ି ପାରୁନି ବିକାଶ।
ଆମ ଦେଶ ଇତିମଧ୍ୟରେ ପାଳନ କରିସାରିଲାଣି ୮୦ତମ ସ୍ବାଧୀନତା ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ସେଗୁଡ଼ିକର ନିୟମିତ ସମୀକ୍ଷା ମଧ୍ୟ କରାଯାଉଛି। ଏଥିରୁ ଅନୁମେୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ରାଜ୍ୟ ସରକାର ବେଶ୍ ଯତ୍ନବାନ୍; କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ପଣସନସାର ଲୋକେ ମାଳମାଳ ଯୋଜନାରୁ ବଞ୍ଚିତ କାହିଁକି ? କେବଳ ସ୍ବଚ୍ଛ ଭାରତ ଯୋଜନା ଏଠି ବାଟବଣା ନୁହେଁ। ଗାଁକୁ ଯିବାକୁ ରାସ୍ତା ମଧ୍ୟ ନାହିଁ। ଏଠି ପାଦ ହିଁ ଯାନ। ପାଦଚଲା ପଥ ହିଁ ରାଜପଥ। ପାହାଡ଼ିଆ ଜୀବନର ଚକ ଏମିତି ହିଁ ଘୂରୁଛି ବର୍ଷବର୍ଷ ଧରି। ପୋଡ଼ୁ ଚାଷ ଓ ଛେଳି ପାଳନ ହିଁ ଜୀବିକା। ସପ୍ତାହକୁ ଥରେ ମଙ୍ଗଳବାର କାଂଜିପାଣି ହାଟକୁ ଓହ୍ଲାଇ ଆସନ୍ତି ଏମାନେ। ତେଲଲୁଣ କିଣନ୍ତି। ତା’ପରେ ପୁଣି ପାହାଡ଼ ଚଢ଼ନ୍ତି। ବାଂଶପାଳ ବ୍ଲକ୍ କୁଆଁର ପଞ୍ଚାୟତ ଅଧୀନ ପଣସନସା(ଉପର) ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉପରେ ପଣସନସା, ଢେଙ୍କିତୋପା ଓ ହାଣ୍ଡିଭଙ୍ଗାର ପିଲା ନିର୍ଭରଶୀଳ। ଏହି ତିନି ପଲ୍ଲୀର ପିଲାଙ୍କ ଭିତରୁ ୪୭ଜଣ ଛାତ୍ରଛାତ୍ରୀ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପଢ଼ୁଛନ୍ତି। ବିଡ଼ମ୍ବନା ହେଉଛି, ବିଦ୍ୟାଳୟର ଗୋଟିଏ ବି ଶ୍ରେଣୀଗୃହ କି ଶୌଚାଳୟ ନାହିଁ। ଯେଉଁଠି ପିଲାଙ୍କୁ ସ୍ୱଚ୍ଛତାର ପାଠ ପଢ଼ାଯିବା କଥା, ସେଠି ପାଇଖାନାର ଅଭାବ ହିଁ ସବୁଠୁ ବଡ଼ ପାଠ ହୋଇ ଉଭା ହୋଇଛି।
୨୦୨୦ରୁ ୨୦୨୬ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଦ୍ବିତୀୟ ପର୍ଯ୍ୟାୟରେ କେନ୍ଦୁଝର ଜିଲାର ୨୯୭ଟି ପଞ୍ଚାୟତରେ ୩୮,୧୬୩ଟି ବ୍ୟକ୍ତିଗତ ଘରୋଇ ଶୌଚାଳୟ ଅନୁମୋଦିତ ହୋଇଛି। ବାଂଶପାଳ ବ୍ଲକ୍ରେ ମୋଟ ୪,୭୦୩ ଶୌଚାଳୟ ଅନୁମୋଦିତ। ବାଂଶପାଳରେ ୪୦୧, ବାରାଗଡ଼ରେ ୩୪୪, ବାୟାକୁମୁଟିଆରେ ୪୧୧, ଗୋନାସିକାରେ ୨୭୩, ଯାତ୍ରାରେ ୪୪୮, କାଲଣ୍ଡା (ଖ)ରେ ୧୧୫, କରଞ୍ଜାଡିହିରେ ୧୫୧, କୋଡ଼ିପାସାରେ ୪୫୦, କୁଆଁରରେ ୧୩୭, କୁମୁଣ୍ଡିରେ ୭୫୧, ନାୟାକୋଟରେ ୫୫, ଫୁଲଝରରେ ୩, ସାହାରପୁରରେ ୫, ସିଂହପୁରରେ ୭୯, ଶୁଆକାଟିରେ ୪୯୨, ତଳଚମ୍ପେଇରେ ୧୨୬, ତଳକାଡ଼କଳାରେ ୫୫, ତଳକାଇଁସାରିରେ ୮୨, ଟଣାରେ ୨୧୨, ତରାମାକାନ୍ତରେ ୧୧୨ ଏବଂ ଉପେରାଇଗୋଡ଼ାରେ ୩ଟି ଶୌଚାଳୟ ଅନୁମୋଦିତ ବୋଲି ତଥ୍ୟ ରହିଛି। ଜିଲାର ଅନ୍ୟ ବ୍ଲକ୍ଗୁଡ଼ିକର ସଂଖ୍ୟା ମଧ୍ୟ ଚମତ୍କାର। ଆନନ୍ଦପୁର ୩,୧୮୮, ଚମ୍ପୁଆ ୨,୭୮୨, ଘସିପୁରା ୨,୭୦୫, ଘଟଗାଁ ୩,୧୨୬, ହରିଚନ୍ଦନପୁର ୩,୫୭୭, ହାଟଡିହି ୨,୯୯୧, ଝୁମ୍ପୁରା ୩,୨୪୪, ଯୋଡ଼ା ୧,୨୭୫, କେନ୍ଦୁଝର ସଦର ୪,୩୧୩, ପାଟଣା ୨,୧୧୫, ସାହାରପଡ଼ା ୨,୫୪୨ ଏବଂ ତେଲକୋଇ ୧,୬୦୨। ସଂଖ୍ୟାଗୁଡ଼ିକ ଫାଇଲ୍ରେ ଚମକୁଛି; କିନ୍ତୁ ପଣସନସାରେ ଶୌଚାଳୟର ଚିହ୍ନବର୍ଣ୍ଣ ନାହିଁ। ଏ ସମ୍ପର୍କରେ ବ୍ଲକ୍ ଉନ୍ନୟନ ଅଧିକାରୀ ରାଜା ରଣଜିତ ପ୍ରସାଦ ବଳ କହିଛନ୍ତି ଯେ ପଣସନସା ଅନ୍ୟତମ ଦୁର୍ଗମ ଅଞ୍ଚଳ। ସରକାରଙ୍କ କିଛି ଯୋଜନା ଜୁଆଙ୍ଗ ପରିବାରଙ୍କ ପାଖରେ ପହଞ୍ଚିଛି। ଅନ୍ୟ ଯୋଜନାଗୁଡ଼ିକ ସେମାନଙ୍କ ପାଖରେ ପହଞ୍ଚାଇବାକୁ ସ୍ଥାନୀୟ ପ୍ରଶାସନ ଚେଷ୍ଟା ଚଳାଇଛି।


