ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା
1 min read
ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ, ୟୁନିଅନ୍ ଓ ଅନ୍ୟ ହିତଧାରୀଙ୍କ ସହ ଆଲୋଚନା କରୁଛି । ଦରମା ସଂଶୋଧନ, ଭତ୍ତା, ପେନସନ୍ ଓ କାର୍ଯ୍ୟ ପରିବେଶ ଭଳି ବିଷୟ ଉପରେ ମତାମତ ନିଆଯାଉଛି।
୮ମ ବେତନ ଆୟୋଗର ଆଲୋଚନାରେ ଫିଟମେଣ୍ଟ ଫ୍ୟାକ୍ଟର ଏକ ବଡ଼ ପ୍ରସଙ୍ଗ । ଏହା ସଂଶୋଧିତ ବେସିକ୍ ପେ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ। ଏହା ସହ କର୍ମଚାରୀଙ୍କ ବେତନ, ପେନସନ୍, ଭତ୍ତା ଏବଂ କାର୍ଯ୍ୟସ୍ଥଳର ପରିସ୍ଥିତି ନେଇ ମଧ୍ୟ ଆଲୋଚନା ଚାଲିଛି। ସୋସିଆଲ୍ ମିଡିଆରେ ୨.୧୫, ୨.୨୮ ଓ ୨.୫୭ ଭଳି ବିଭିନ୍ନ ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସରକାରୀ ଭାବେ ଅନ୍ତିମ ଘୋଷଣା ହୋଇନାହିଁ। ଷଷ୍ଠ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଥିବାବେଳେ ସପ୍ତମ ବେତନ ଆୟୋଗରେ ଏହା ୨.୫୭ ଥିଲା।
ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ସଂଶୋଧନ ଏବଂ ଭତ୍ତା ବୃଦ୍ଧି ନେଇ ମଧ୍ୟ ଆୟୋଗ ବିଭିନ୍ନ ପକ୍ଷର ମତାମତ ରେକର୍ଡ କରୁଛି । ତେବେ ପେନସନ୍ କିମ୍ବା ଦରମାରେ କେତେ ବୃଦ୍ଧି ହେବ, ସେନେଇ ଏବେଠାରୁ କୌଣସି ନିଶ୍ଚିତ ଅଙ୍କ କୁହାଯାଇପାରିବ ନାହିଁ। ଆୟୋଗ ସୁପାରିସ୍ କରିବା ପରେ ସରକାରଙ୍କ ଅନ୍ତିମ ନିଷ୍ପତ୍ତି ହେବ। ଚେନ୍ନାଇ ପରେ ୯ ସେପ୍ଟେମ୍ବରରେ ପୁଡୁଚେରୀରେ ଆଲୋଚନା ହେବ। ଏହାପରେ ୧୬ରୁ ୧୮ ସେପ୍ଟେମ୍ବର ଯାଏଁ ଚଣ୍ଡିଗଡ଼ରେ ଏବଂ ୭-୮ ଅକ୍ଟୋବରରେ ବେଙ୍ଗାଲୁରୁରେ ଆଲୋଚନା କାର୍ଯ୍ୟକ୍ରମ ରହିଛି।


