ସୁଭଦ୍ରା ଯୋଜନାର ୫ମ କିସ୍ତି: ଯାଜପୁର ଜିଲ୍ଲାର ୪.୭୭ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ଟଙ୍କା
1 min read
ଯାଜପୁର, ତା ୨୮.୦୮.୨୦୨୬ ରିଖ: ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ପ୍ରଦାନ କରାଯାଇଛି। ନୟାଗଡ଼ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯେଉଁଥିରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ସିଧାସଳଖ (DBT) ଜରିଆରେ ପ୍ରଦାନ କରାଯାଇଛି।
ଏହି ଅବସରରେ ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଅର୍ଥ ରାଶି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଲୋକସଭା, ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କହିଲେ ସୁଭଦ୍ରା ଯୋଜନା କେବଳ ଏକ ମାଗଣା ସହାୟତା ନୁହେଁ, ଏହା ଓଡ଼ିଶାର ମା’ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାର ଏକ ସଶକ୍ତ ମାଧ୍ୟମ। ଆଜି ଆମ ସରକାର ନିଜର ପ୍ରତିଶ୍ରୁତି ପୂରଣ କରି ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଉଛନ୍ତି। ଯାଜପୁର ଜିଲ୍ଲାର ପ୍ରାୟ ୪.୭୭ ଲକ୍ଷ ମହିଳା ଏହି କିସ୍ତି ପାଇବା ଗୌରବର ବିଷୟ। ଏହି ଆର୍ଥିକ ସହାୟତା ମହିଳାମାନଙ୍କୁ ସମାଜରେ ଆଗକୁ ବଢ଼ିବାକୁ ଓ ନିଜ ପରିବାରକୁ ମଜବୁତ କରିବାକୁ ଅପୂର୍ବ ଶକ୍ତି ଯୋଗାଇବ। ପୂର୍ବରୁ ସରକାରୀ ଯୋଜନାର ଟଙ୍କା ଗରିବଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟମାରଣା ହେଉଥିଲା। କିନ୍ତୁ ଆମ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ବ୍ୟବସ୍ଥା ଯୋଗୁଁ ଆଜି ଗୋଟିଏ କ୍ଲିକ୍ରେ ସୁଭଦ୍ରା ଯୋଜନାର ୫,୦୦୦ ଟଙ୍କା ସିଧାସଳଖ ମା’ମାନଙ୍କ ବ୍ୟାଙ୍କ ଖାତାକୁ ଯାଉଛି। ଯାଜପୁର ଜିଲ୍ଲାରେ ଗୋଟିଏ ବି ଯୋଗ୍ୟ ମହିଳା ଯେପରି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ଏହି କିସ୍ତିରେ ଜିଲ୍ଲାର ଆଉ ୧୭,୯୫୮ ଜଣ ନୂତନ ମହିଳାଙ୍କୁ ସାମିଲ କରାଯିବା ଏହାର ଜ୍ୱଳନ୍ତ ପ୍ରମାଣ। ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ପର୍ଯ୍ୟାୟକ୍ରମେ ଯୋଡ଼ାଯିବ।
ସୁଭଦ୍ରା ଯୋଜନାରେ ମିଳୁଥିବା ଏହି ଆର୍ଥିକ ପ୍ରୋତ୍ସାହନକୁ ଆମ ଜିଲ୍ଲାର ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ (SHG), କ୍ଷୁଦ୍ର ବ୍ୟବସାୟ ଓ କୁଟୀର ଶିଳ୍ପରେ ବିନିଯୋଗ କରି ନିଜର ଜୀବିକା ବୃଦ୍ଧି କରନ୍ତୁ। ଜଣେ ମହିଳା ସଶକ୍ତ ହେଲେ ପୁରା ପରିବାର ପ୍ରଗତି ପଥରେ ଆଗେଇଥାଏ।
ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଅର୍ଥ ରାଶି ପ୍ରଦାନରେ ଯାଜପୁର ଜିଲ୍ଲାରେ ବୃହତ ସଂଖ୍ୟକ ମହିଳା ଉପକୃତ ହୋଇଛନ୍ତି। ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳକୁ ମିଶାଇ ମୋଟ ୪,୭୭,୪୦୦ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି କିସ୍ତିର ଟଙ୍କା ଜମା ହୋଇଛି। ଗତ ୪ର୍ଥ କିସ୍ତିରେ ଜିଲ୍ଲାର ୪,୫୯,୪୪୨ ଜଣ ମହିଳା ଲାଭ ପାଇଥିବା ବେଳେ, ଏହି କିସ୍ତିରେ ଆଉ ୧୭,୯୫୮ ଜଣ ନୂତନ ହିତାଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇ ସେମାନଙ୍କ ଖାତାକୁ ସିଧାସଳଖ ଅର୍ଥ ରାଶି ପଠାଯାଇଛି।
ବ୍ଲକ ଓ ପୌରାଞ୍ଚଳ ୱାରି ତଥ୍ୟ ଅନୁସାରେ, ବଡ଼ଚଣା ବ୍ଲକରେ ସର୍ବାଧିକ ୫୭,୭୩୩ ଜଣ ମହିଳା (୧,୫୩୦ ଜଣ ନୂତନ) ଏବଂ ଧର୍ମଶାଳା ବ୍ଲକରେ ୫୭,୯୪୨ ଜଣ (୧,୬୮୪ ଜଣ ନୂତନ) ଏହି କିସ୍ତି ପାଇଛନ୍ତି। ସେହିପରି ଦଶରଥପୁରରେ ୫୩,୯୬୭ ଜଣ (୧,୪୯୫ ଜଣ ନୂତନ) ବିଞ୍ଝାରପୁରରେ ୪୬,୬୫୪ ଜଣ (୧,୪୭୬ ଜଣ ନୂତନ) ରସୁଲପୁରରେ ୪୬,୧୭୨ ଜଣ (୧,୫୨୫ ଜଣ ନୂତନ) ଯାଜପୁର ବ୍ଲକରେ ୪୫,୧୨୪ ଜଣ (୧,୦୧୧ ଜଣ ନୂତନ), କୋରେଇରେ ୪୨,୬୪୮ ଜଣ (୧,୦୧୮ ଜଣ ନୂତନ), ବରୀରେ ୪୧,୯୩୮ ଜଣ (୧,୬୩୩ ଜଣ ନୂତନ), ସୁକିନ୍ଦାରେ ୩୫,୯୫୪ ଜଣ (୧,୫୦୩ ଜଣ ନୂତନ) ଏବଂ ଦାନଗଦି ବ୍ଲକରେ ୩୨,୧୬୨ ଜଣ (୧,୩୧୪ ଜଣ ନୂତନ) ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଯାଇଛି। ପୌରାଞ୍ଚଳଗୁଡ଼ିକ ମଧ୍ୟରୁ ଯାଜପୁର ପୌରପାଳିକାର ୮,୨୫୯ ଜଣ (୧,୮୦୧ ଜଣ ନୂତନ) ଏବଂ ବ୍ୟାସନଗର ପୌରପାଳିକାର ୮,୮୪୭ ଜଣ (୧,୯୬୮ ଜଣ ନୂତନ) ମହିଳା ଏହି ୫ମ କିସ୍ତିର ଲାଭ ପାଇଛନ୍ତି।
ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ଯାଜପୁର ଜିଲ୍ଲାର ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାରେ ବେଶ ସହାୟକ ହୋଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ଟଙ୍କା ଆସିଥିବାରୁ ଜିଲ୍ଲାସାରା ମହିଳାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ସୁରକ୍ଷା ଅଧିକାରୀ ଶ୍ରୀମତୀ ସରୋଜିନୀ ଦାସ, ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ନାରୀମାନଙ୍କୁ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ସେମାନଙ୍କୁ ଲକ୍ଷପତି ଓ କୋଟିପତି ସ୍ତରର ସ୍ୱାବଲମ୍ବୀ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସରକାରଙ୍କ ପ୍ରକୃତ ଲକ୍ଷ୍ୟ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ହଜାର ହଜାର ସଂଖ୍ୟାରେ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଯୋଗେଶ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସମ୍ପାଦନ କରାଯାଇଥିଲା।
ପ୍ରାରମ୍ଭରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାମାନେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ ଭଉଣୀ ସମ୍ପର୍କର ଅତୁଟ ବନ୍ଧନର ବାର୍ତ୍ତା ଦେଇଥିଲେ।”


