August 1, 2026

ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପଦକ୍ଷେପ

1 min read

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ, ପାଇପ୍ ଜଳଯୋଗାଣ (PWS) ପ୍ରକଳ୍ପଗୁଡ଼ିକର ପୁନରୁଦ୍ଧାର ଏବଂ ସ୍ୱାଭାବିକ ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ବିକଳ୍ପ ପାନୀୟ ଜଳ ଯୋଗାଣ ପାଇଁ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି।

ନିରାପଦ ପାନୀୟ ଜଳର ଉପଲବ୍ଧତା
୩୧ ଜୁଲାଇ ୨୦୨୬ ସୁଦ୍ଧା ପ୍ରାପ୍ତ ତଥ୍ୟ ଅନୁଯାୟୀ, ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ରିପୋର୍ଟ ହୋଇଥିବା ମୋଟ ୧୩,୬୬୨ଟି ନଳକୂପ ମଧ୍ୟରୁ ୬,୪୯୧ଟି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୨,୭୧୦ଟି ନଳକୂପକୁ ଇତିମଧ୍ୟରେ ବିଶୋଧନ କାର୍ଯ୍ୟ ସରିଛି। ସେହିପରି ମୋଟ ୬୪୨ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୫୭ଟି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୧୦୧ଟି ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ବିଶୋଧନ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଭାବିତ ଅଞ୍ଚଳରେ ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଜାରି ରଖାଯାଇଛି।

ଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମି ଉପରେ ଅଧିକ ପ୍ରଭାବ ପଡ଼ିଥିବା ଭଦ୍ରକ, ବାଲେଶ୍ୱର ଓ ଯାଜପୁରଜିଲ୍ଲା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଭଦ୍ରକ ଜିଲ୍ଲାରେ ୩,୪୧୧ଟି ନଳକୂପ ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ୧,୩୧୧ଟିକୁ ବିଶୋଧନ କରାଯାଇଛି। ବାଲେଶ୍ୱରରେ ୨,୧୯୧ଟି ନଳକୂପ ପ୍ରଭାବିତ ହୋଇଛି ଏବଂ ୫୪୫ଟିର ବିଶୋଧନ କାର୍ଯ୍ୟ ସରିଛି। ଏଥିସହିତ ଏଠାରେ ୭୫ଟି ପ୍ରଭାବିତ PWS ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ବିଶୋଧନ କରାଯାଇଛି। ଯାଜପୁର ଜିଲ୍ଲାରେ ୫୧୧ଟି ନଳକୂପ ପ୍ରଭାବିତ ହୋଇଥିବାବେଳେ ୧୨୨ଟିକୁ ବିଶୋଧନ କରାସରିଛି। ବନ୍ୟାଜଳ ହ୍ରାସ ପାଇବା ସହ ଜଳମଗ୍ନ ଥିବା ପାନୀୟ ଜଳ ଉତ୍ସଗୁଡ଼ିକ ପହଞ୍ଚଯୋଗ୍ୟ ହେଉଛି ଏବଂ କ୍ଷେତ୍ରସ୍ତରୀୟ ଟିମ୍‌ଗୁଡ଼ିକ ତୁରନ୍ତ ସେଗୁଡ଼ିକର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି।