ବିଦେଶୀ ମଦ ଦୋକାନକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ତୀବ୍ର
1 min read
ଟିଟିଲାଗଡ଼: ଟିଟିଲାଗଡ଼ ସହରର ହାଇସ୍କୁଲ ପଡ଼ା ଅଞ୍ଚଳରେ ସରକାରଙ୍କ ଅନୁମତିରେ ଖୋଲାଯାଇଥିବା ନୂତନ ବିଦେଶୀ ମଦ ଦୋକାନକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ତୀବ୍ର ହୋଇଛି। ଦୋକାନ ବନ୍ଦ ଦାବିରେ ଶତାଧିକ ମହିଳା ଜାତୀୟ ରାଜପଥ ଅବରୋଧ କରିବା ସହ ମଦ ଦୋକାନ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି।
ସୂଚନାନୁସାରେ, ରେଳୱେ ଷ୍ଟେସନ ରାସ୍ତାରେ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ପୂର୍ବରୁ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ତଥାପି ପ୍ରଶାସନ ପକ୍ଷରୁ ଦୋକାନ ଖୋଲାଯିବା ପରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିଛି।ଦୁଇ ଦିନ ତଳେ ଆନ୍ଦୋଳନକାରୀ ମହିଳାମାନେ ମଦ କିଣିବାକୁ ଆସୁଥିବା ଗ୍ରାହକଙ୍କୁ ପାଣି ଓ ଚାଖଣା ବଣ୍ଟନ କରି ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ଶନିବାର ପୁଣି ଶତାଧିକ ମହିଳା ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ।


