ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ
1 min read
ଅନୁଗୋଳ : ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ। କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ମାମଲାରେ ତଦନ୍ତ ଚାଲିଛି। ଘଟଣାରେ ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ମାରାଥନ୍ ଜେରା।
ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଜେରା ଚାଲିବ ବୋଲି ସୂଚନା ମିଳିଛି। ମୋଟ୍ ୯୩ ଜଣ ଡାକ୍ତର ଓ କର୍ମଚାରୀ ଜେରାର ସମ୍ମୁଖୀନ ହେବେ। ଆଜି ୪୯ ଜଣ ଭିଜିଲାନ୍ସ ଜେରାର ସମ୍ମୁଖୀନ ହେବାକୁ ଥିବା ବେଳେ ଅନ୍ୟ କର୍ମଚାରୀଙ୍କୁ ଆସନ୍ତାକାଲି ଜେରା କରାଯିବ। ଅଭିଯୋଗ ଅନୁସାରେ ଏହି କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ବାଦ୍ ମନଇଚ୍ଛା ଅତିରିକ୍ତ ଅର୍ଥ ଦେଇ ପରେ ସେମାନଙ୍କ ଠାରୁ ଅସୁଲ କରି ଆତ୍ମସାତ୍ କରିଛି ସୁବ୍ରତ। ତେଣୁ ଏହି ମାମଲାର ତଦନ୍ତ ପାଇଁ ଜେରା ହେବେ ଏହି କର୍ମଚାରୀ। କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୩୨ ଜଣ ଡାକ୍ତର, ୨୪ ଷ୍ଟାଫ ନର୍ସ, ୯ କିରାଣୀ। ଏପରିକି ଜାଲରୁ ବାଦ୍ ପଡ଼ିନାହାନ୍ତି ହସ୍ପିଟାଲର ଚତୁର୍ଥ ଶ୍ରେଣୀ କର୍ମଚାରୀ। ୮ ଜଣ ୱାର୍ଡ ଆଟେଣ୍ଡାଣ୍ଟ, ୨ ଜଣ ରୋଷେୟା, ୨ ଜଣ ଡ୍ରାଇଭର, ଜଣେ ପିଅନ ବି ସୁବ୍ରତଙ୍କ ଦ୍ଵାରା ଅର୍ଥ ତୋଷାରପାତର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଏବେ ୨୬ ଜଣ ଅବସର ନେଇସାରିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି। ସୂଚନା ଥାଉକି ୨ କୋଟି ୩୮ ଲକ୍ଷ ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଗତ ଫେବ୍ରୁଆରୀ ମାସରେ ସୁବ୍ରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।


