ଦୁର୍ଘଟଣା ଜନିତ ମୃତ୍ୟୁରେ ଗୃହିଣୀଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା
1 min read
ନୂଆଦିଲ୍ଲୀ,୧୧।୬: ଦୁର୍ଘଟଣାରେ ଯେତେବେଳେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କର ରୋଜଗାର କିମ୍ୱା ଦରମା ହିସାବରେ କ୍ଷତିପୂରଣ ସ୍ଥିର କରାଯାଏ। କିନ୍ତୁ ହୋମ ମେକର୍ (ଗୃହିଣୀ) ମହିଳାମାନଙ୍କ ସହ ଜଡ଼ିତ ମାମଲାରେ ଏହି ବିଷୟଟି ଜଟିଳ ହୋଇଯାଏ, କାରଣ ଗୃହିଣୀମାନଙ୍କର କୌଣସି ର୍ନିଦ୍ଦିଷ୍ଟ ରୋଜଗାର ନଥାଏ। ଏବେ ସୁପ୍ରିମକୋର୍ଟ ଗୃହିଣୀମାନଙ୍କ କ୍ଷତିପୂରଣକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ କହିଛନ୍ତି ଯେ ଯେତେବେଳେ କୌଣସି ଦୁର୍ଘଟଣା ଯୋଗୁଁ ଜଣେ ଗୃହିଣୀଙ୍କର ମୃତ୍ୟୁ ହୋଇଯାଏ, ସେତେବେଳେ ତାଙ୍କର କ୍ଷତିପୂରଣ ସ୍ଥିର କରିବା ସମୟରେ ପରିବାର ପ୍ରତି ତାଙ୍କର ଅବଦାନର ଆକଳନ କରିବା ଆବଶ୍ୟକ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ଗୃହିଣୀମାନଙ୍କ ଅବଦାନ କେବଳ ପରିବାର ମଧ୍ୟରେ ସୀମିତ ନୁହେଁ, ବରଂ ସେମାନେ ମାନବ ସମ୍ୱଳ ଏବଂ ରାଷ୍ଟ୍ର ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏଭଳି ପରିସ୍ଥିତିରେ ସେମାନଙ୍କୁ କେବଳ “ହୋମ ମେକର୍” କହିବା ବଦଳରେ “ନେସନ ବିଲ୍ଡର” କୁହାଯିବା ଉଚିତ।
ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗୃହିଣୀଙ୍କ ଦ୍ୱାରା କରାଯାଉଥିବା ଘରକାମ ଏବଂ ଯତ୍ନ ନେବା ଭଳି ସେବାଗୁଡ଼ିକର ଏକ ଆର୍ଥିକ ମୂଲ୍ୟ ରହିଛି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଦୁର୍ଘଟଣାର ଶିକାର ହୋଇଥିବା ଗୃହିଣୀମାନଙ୍କ ମାମଲାରେ କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି ଏବଂ ଗୃହିଣୀ ମହିଳାମାନଙ୍କ ମୃତ୍ୟୁରେ ମାସିକ ୩୦ ହଜାର ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବାକୁ କହିଛନ୍ତି।
ଯାନବାହନ ଦୁର୍ଘଟଣା ଦାବି ସହ ଜଡ଼ିତ ଏକ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ.କେ. ସିଂହଙ୍କ ବେଞ୍ଚ କହିଛନ୍ତି ଯେ ଘର ସମ୍ଭାଳୁଥିବା ମହିଳା (ଗୃହିଣୀ)ଙ୍କ ଅବଦାନ କେବଳ ଘର ମଧ୍ୟରେ ସୀମିତ ନୁହେଁ, ବରଂ ଦେଶ ଗଠନରେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୋର୍ଟ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ମୋଟର ଯାନ ଅଧିନିୟମ (Motor Vehicles Act) ଅଧୀନରେ କ୍ଷତିପୂରଣ ସ୍ଥିର କରିବା ସମୟରେ, ଗୃହିଣୀଙ୍କ ମୃତ୍ୟୁ ଯୋଗୁଁ ପରିବାର ଘରୋଇ ଯତ୍ନ ବାବଦରେ ଯେଉଁ କ୍ଷତି ସହୁଛି, ତାହାକୁ ସୱତନ୍ତ୍ର ଭାବେ ମାନ୍ୟତା ଦିଆଯିବା ଉଚିତ।
ଏହି ନିଷ୍ପତ୍ତି ପଞ୍ଜାବର ଏକ ମୋଟର ଦୁର୍ଘଟଣା ଦାବି ସହ ଜଡ଼ିତ ଆବେଦନ ଉପରେ ଆସିଛି, ଯେଉଁଥିରେ ନଭେମ୍ୱର ୨୦୦୧ ମସିହାରେ ରେଶମା ନାମକ ଜଣେ ମହିଳାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ୱାମୀ ଏବଂ ତିନି ସନ୍ତାନ କ୍ଷତିପୂରଣ ପାଇଁ ମୋଟର ଏକ୍ସିଡେଣ୍ଟ କ୍ଲେମ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ୨୦୦୩ ମସିହାରେ କ୍ଷତିପୂରଣ ପ୍ରଦାନ କରିଥିଲେ, କିନ୍ତୁ ଏହି ମାମଲା ବର୍ଷ ବର୍ଷ ଧରି ମକଦ୍ଦମାରେ ଛନ୍ଦି ହୋଇ ରହିଥିଲା ଏବଂ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ଆବେଦନ ଉପରେ ଡିସେମ୍ୱର ୨୦୨୪ ରେ ଯାଇ ନିଷ୍ପତ୍ତି ଶୁଣାଇଥିଲେ।
ଦୁର୍ଘଟଣାର ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଯିବା ପରେ ଏଭଳି ବିଳମ୍ୱକୁ ନେଇ ଚିନ୍ତା ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମୋଟର ଦୁର୍ଘଟଣା କ୍ଷତିପୂରଣ ଦାବି ଉପରେ ସାଧାରଣତଃ ଏକ ବର୍ଷ ମଧ୍ୟରେ ନିଷ୍ପତ୍ତି ହୋଇଯିବା ଉଚିତ। ବେଞ୍ଚ କହିଛନ୍ତି ଯେ ଏଭଳି ମାମଲାଗୁଡ଼ିକର ସମାଧାନ ସାଧାରଣତଃ ଏକ ବର୍ଷ ଭିତରେ କରାଯିବା ଆବଶ୍ୟକ


