ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ସତ୍ତ୍ବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ
1 min read
ଭୁବନେଶ୍ବର: ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ସତ୍ତ୍ବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ବିଶେଷ କରି ଆଜି ବାଲେଶ୍ବର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିଥିଲା। ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ଆଜି ୪୧.୬ ଡିଗ୍ରି, ବଲାଙ୍ଗୀରରେ ୪୧.୬ ଡିଗ୍ରି, ବୌଦ୍ଧରେ ୪୧.୨ ଡିଗ୍ରି, ବରଗଡ଼ରେ ୪୦.୬ ଡିଗ୍ରି, ହୀରାକୁଦ ଓ ତାଳଚେରରେ ୪୦ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି।
ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳି ସ୍ଥିତି ଜାରି ରହିବ। ଏଥିସହ ପ୍ରାକ୍-ମୌସୁମୀ ବର୍ଷା ଯୋଗୁଁ ବି ରାତି ତାପମାତ୍ରାରେ ହ୍ରାସ ଦେଖାଯାଇପାରେ ବୋଲି ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଉତ୍ତର-ପୂର୍ବ ରାଜ୍ୟ, ସମ୍ପୂର୍ଣ୍ଣ ସିକିମ୍ ଓ ହିମାଳୟ ପାଦଦେଶର ପଶ୍ଚିମବଙ୍ଗର କିଛି ଅଂଶରେ ସ୍ପର୍ଶ କରିଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ସ୍ପର୍ଶ କରିପାରେ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତାକାଲି ସମଗ୍ର ଓଡ଼ିଶାରେ ପ୍ରାକ୍-ମୌସୁମୀ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆସନ୍ତାକାଲି ପାଗ ମେଘୁଆ ରହିବ।


